ସୂଚନା ଓ ଲୋକସମ୍ପର୍କ ବିଭାଗ: କୃପାସିନ୍ଧୁ ମିଶ୍ର ନୂତନ ନିର୍ଦ୍ଦେଶକ

ଭୁବନେଶ୍ୱର,୨୫।୬(ବ୍ୟୁରୋ)- କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ଦ୍ୱାରା ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକଭାବେ ମଙ୍ଗଳବାର ଦାୟିତ୍ୱ ନେଇଥିବା କୃପାସିନ୍ଧୁ ମିଶ୍ର ଏହି ପରାମର୍ଶ ଦେଇଛନ୍ତି । ପୂର୍ବାହ୍ନରେ ପ୍ରଶାସକ ମିଶ୍ରଙ୍କୁ ବିଭାଗୀୟ ବରିଷ୍ଠ ପଦାଧିକାରୀ ତଥା କର୍ମଚାରୀମାନେ ଲୋକସମ୍ପର୍କ ଭବନଠାରେ ସ୍ବାଗତ ଜଣାଇଥିଲେ। ଅପରାହ୍ନରେ ଅଧିକାରୀ ତଥା କର୍ମଚାରୀମାନଙ୍କର ଏକ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ଅଧ୍ୟକ୍ଷତା କରି ନୂତନ ନିର୍ଦ୍ଦେଶକ ମିଶ୍ର କହିଛନ୍ତି ଯେ, ବିଭାଗର କାର୍ଯ୍ୟକ୍ରମ ସୁଦୂରପ୍ରସାରି ହୋଇପାରୁଛି। ଅଧିକାରୀମାନେ ସ୍ବଚ୍ଛତା, ଦକ୍ଷତା ଓ ସାଧୁତା ବଜାୟ ରଖି ଉତ୍ତମ ପ୍ରଶାସନର ସୁଫଳକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ। ଅଧିକାରୀମାନେ ବୈଷୟିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମନ୍ବିତ ଆଦାନପ୍ରଦାନ ଓ ଅଭିଜ୍ଞତାର ଉପଲବ୍ଧି ଆଧାରରେ ଅଧିକ କ୍ରିୟାଶୀଳ ଓ ତତ୍ପର ହେବା ପାଇଁ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।