ସୁସ୍ଥ ଅଛନ୍ତି ରାଜ୍ୟର ଏକମାତ୍ର କରୋନା ରୋଗୀ, ସାଧାରଣ ଲୋକେ ଅଯଥାରେ ମାସ୍କ ପିନ୍ଧନ୍ତୁ ନାହିଁ: ବାଗ୍‌ଚୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଓଡ଼ିଶାର ଏକମାତ୍ର କରୋନା ଚିହ୍ନଟ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ସକାଳ ଭୋଜନ ଓ ଦ୍ୱିପ୍ରହର ଭୋଜନ ଠିକ୍‌ ଭାବେ ଖାଇଛନ୍ତି। ଏଣୁ ସେ ଧୀରେଧୀରେ ସୁସ୍ଥ ହେଉଥିବା ଆଶା କରାଯାଉଛି ବୋଲି ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ବାଗ୍‌ଚୀ କହିଛନ୍ତି, ମହାପ୍ରଭୁ ମଧ୍ୟ ୧୪ ଦିନ ଅଣସରରେ ରହିଥାନ୍ତି। ହାଡ଼ଫୁଟି ହେଲେ ଲୋକେ ଘରେ ରହିଥାନ୍ତି। କରୋନାକୁ ସେଭଳି ମୁକାବିଲା କରିହେବ। ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବା ଆବଶ୍ୟକ। କରୋନା ସଂକ୍ରମିତ ହେବାର ସମ୍ଭାବନା ଲାଗିଲେ ଉକ୍ତ ବ୍ୟକ୍ତି ନିଜେ ଅନ୍ୟମାନଙ୍କଠାରୁ ଦୂରେଇ ନେବା ଉଚିତ। ଫଳରେ ଅନ୍ୟମାନଙ୍କୁ ସେ ସୁରକ୍ଷା ଦେଇପାରିବେ।
ଏହାଛଡ଼ା କେବଳ ଦେହ ଖରାପ ଥିବା ତଥା ସଂକ୍ରମଣର ଆଶଙ୍କା ଥିବା ବ୍ୟକ୍ତି ମାସ୍କ ବ୍ୟବହାର କରନ୍ତୁ। ଅଯଥାରେ ମାସ୍କ ପିନ୍ଧି ବୁଲନ୍ତୁ ନାହିଁ। ସାଧାରଣ ଲୋକର ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ଔଷଧ ଦୋକାନରେ ବଞ୍ଚାଇ ରଖାଯାଉ। ହେଲେ ଏବେଠୁ ହଡ଼ବଡ଼ାଇ ଯାଇ ପିନ୍ଧିଲେ ଆବଶ୍ୟକ ସମୟରେ ମାସ୍କ ମିଳି ନ ପାରେ। କେବଳ ଯେ ନାକ ଓ ପାଟି ଦ୍ୱାରା କରୋନା ସଂକ୍ରମଣ ହେବ ତାହା ନୁହେଁ ଏହି ଭୂତାଣୁ ଆଖି, କାନ ମଧ୍ୟରେ ପ୍ରବେଶ କରିପାରିବ। ଏଣୁ ସଚେତନ ରହିବା ସହ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଗ୍ରହଣ କରନ୍ତୁ। ଅଯଥାରେ ଭୟଭୀତ ନ ହୋଇ ରୋଗକୁ ମୁକାବିଲା କରିବା ଦିଗରେ ପ୍ରସ୍ତୁତ ରୁହନ୍ତୁ ବୋଲି ବାଗ୍‌ଚୀ କହିଛନ୍ତି।