Categories: ଖେଳ

ସୁଶୀଲଙ୍କୁ ବିଶ୍ୱ ଚାମ୍ପିୟନଶିନପ୍‌ ଟିକେଟ

ନୂଆଦିଲ୍ଲୀ,୨୧।୮(ପି.ଟି.)- ଫର୍ମରେ ନ ଥିବା ତାରକା ରେସଲର ସୁଶୀଲ କୁମାର ଶେଷରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ମଙ୍ଗଳବାର ଏଠାରେ ଚାଲିଥିବା ଚୟନ ପ୍ରକ୍ରିୟାରେ ସେ ଜିତେନ୍ଦର କୁମାରଙ୍କୁ ୭୪ କେ.ଜି. ଫାଇନାଲରେ ୪-୨ରେ ପରାସ୍ତ କରି ବିଶ୍ୱ ଚାମ୍ପିୟନଶିପ୍‌ ଖେଳିବାକୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ଫାଇନାଲ ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଆଇଜିଆଇ ଷ୍ଟାଡିୟମରେ ସୁଶୀଲଙ୍କ ଖେଳ ଦେଖିବା ପାଇଁ ପାଖାପାଖି ୧୫୦୦ ଦର୍ଶକ ଭିଡ ଜମାଇଥିଲେ। ଫାଷ୍ଟ ପିରିୟଡରେ ସୁଶୀଲ ୪-୦ରେ ଅଗ୍ରଣୀ ହାସଲ କରିଥିଲେ। ସେକେଣ୍ଡ ପିରିୟଡରେ ସେ ଜିତେନ୍ଦରଙ୍କ ଆଖିରେ ଆଘାତ ଦେଇଥିଲେ। ଜିତେନ୍ଦର କିନ୍ତୁ ଜବରଦସ୍ତ ଲଢ଼େଇ କରିଥିଲେ ଓ ପରାଜୟ ବ୍ୟବଧାନକୁ କମାଇଥିଲେ। ଦୁଇଥର ଅଲିମ୍ପିକ୍‌ ପଦକ ହାସଲ କରିଥିବା ସୁଶୀଲଙ୍କୁ ବିଜୟୀ ହେବା ପାଇଁ କଷ୍ଟ କରିବାକୁ ପଡିଥିଲା। ପରାସ୍ତ ହୋଇଥିଲେ ମଧ୍ୟ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ସୁଶୀଲଙ୍କୁ ଫେଡେରେଶନ ଆଉ ଏକ ସୁଯୋଗ ଦେଇଛି। ସେ ୭୯ କେ.ଜି. ବର୍ଗରେ ବୀରଦେବ ଗୁଲିଆଙ୍କୁ ଭେଟିବେ। ବିଜୟୀ ହେଲେ ସେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବେ। ସୁଶୀଲ ଜାଣିଶୁଣି ମୁକାବିଲା ବେଳେ ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ଜିତେନ୍ଦରଙ୍କ କୋଚ୍‌ ଜାଭିୟର ଅଭିଯୋଗ ଆଣିଛନ୍ତି। ସୁଶୀଲଙ୍କୁ ମଧ୍ୟ ରେଫରିମାନେ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଭାରତ ପାଇଁ ଏକମାତ୍ର ଖେଳାଳିଭାବେ ଦୁଇଟି ଅଲିମ୍ପିକ୍‌ ପଦକ ହାସଲ କରିଥିବା ସୁଶୀଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଳ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରନ ମଧ୍ୟ ସୁଶୀଲଙ୍କୁ ସମର୍ଥନ ଜଣାଇଛନ୍ତି।
ଏହାପୂର୍ବରୁ ସୁଶୀଲ ପାଖାପାଖି ଗୋଟିଏ ବର୍ଷ ପରେ ରେସଲିଂଙ୍କୁ ପ୍ରତ୍ୟାବର୍ତ୍ତନ କୀରି ବେଲାରୁଷରେ ଏକ ଟୁର୍ନାମେଣ୍ଟ ଖେଳିଥିଲେ। କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ କାଜାଖସ୍ଥାନର ନୁର- ସୁଲତାନଠାରେ ସେପ୍ଟେମ୍ବର ୧୪ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ।
ଅନ୍ୟ ମୁକାବିଲାଗୁଡିକରେ ରାହୁଲ ଆଓ୍ବରେ (୬୧ କେ.ଜି.), କରନ (୭୦ କେ.ଜି.), ପ୍ରବୀଣ (୯୨ କେ.ଜି.) ଓ ବୀରଦେବ ଗୁଲିଆ (୭୯ କେ.ଜି.)ରେ ନନ୍‌- ଅଲିମ୍ପିକ୍‌ ଡିଭିଜନ୍‌ରେ ବିଜୟୀ ହୋଇଛନ୍ତି।

ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଫ୍ରି ଷ୍ଟାଇଲ ଭାରତୀୟ ପୁରୁଷ ଦଳ:
୫୭ କେ.ଜି.: ରବି ଦହିୟା
୬୧: ରାହୁଲ ଆଓ୍ବରେ
୬୫: ବଜରଙ୍ଗ ପୁନିଆ
୭୦: କରନ
୭୪: ସୁଶୀଲ କୁମାର
୭୯: ଜିତେନ୍ଦର କିମ୍ବା ବୀରଦେବ ଗୁଲିଆ
୮୬: ଦୀପକ ପୁନିଆ
୯୨: ପ୍ରବୀଣ
୯୭: ମୌସମ ଖାତ୍ରୀ
୧୨୫: ସୁମିତ ମଲିକ

Share