ସୁରାଟରୁ ଫେରିଲେ ୪୫ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୨।୫: ଭଦ୍ରକରେ ଶନିବାର ଭୋର ୩ଟାରୁ ପ୍ରଥମ ପ୍ରବାସୀ ଓଡ଼ିଆ ଆସି ପହଞ୍ଚିଛନ୍ତି। ନିଜ ଖର୍ଚ୍ଚରେ ଦୀର୍ଘ ୩ ଦିନର ବସ୍‌ ଯାତ୍ରା ପରେ ଆସି ସେମାନେ ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି। ଲକ୍‌ଡାଉନ ଯୋଗୁ କାମ ବନ୍ଦ ହୋଇଯିବାରୁ ଗୁଜୁରାଟର ସୁରାଟ ଜିଲାରେ ଫସିରହିଥିବା ଓଡିଆ ସେଠାକାର ଜିଲାପାଳଙ୍କଠାରୁ ଅନୁମତି ନେଇ ଗତ ଏପ୍ରିଲ ୨୯ ତାରିଖ ରାତିରେ ସେଠାରୁ ବାହାରିଥିଲେ। ଦୀର୍ଘ ସମୟର ଯାତ୍ରା ପରେ ଭଦ୍ରକରେ ଆଜି ଭୋରରୁ ପହଞ୍ଚିଛନ୍ତି। ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇରେ ଏମାନଙ୍କ ପାଇଁ ରହିବା ବନ୍ଦୋବସ୍ତ ସହ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଶନିବାର ସକାଳେ ସେମାନଙ୍କର ନାମ ପଞ୍ଜିକରଣ କରାଯିବା ସହ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ ବୋଲି ନୋଡାଲ ଅଫିସର ଦାୟିତ୍ୱରେ ଥିବା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ଦାସ କହିଛନ୍ତି । ୪୫ଜଣ ସୁରାଟ ଫେରନ୍ତାଙ୍କୁ ସେମାନଙ୍କ ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯିବ ବୋଲି କୁହାଯାଇଛି। ପ୍ରାୟ ସମସ୍ତେ ତିହିଡି ଓ ଚାନ୍ଦବାଲି ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି।