Categories: ଗଞ୍ଜାମ

ସୁରଟ ଫେରନ୍ତା ନାବାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୩ା୧୦-ସୁରଟରୁ ବ୍ରହ୍ମପୁର ଫେରୁଥିବା ଜଣେ ନାବାଳକଙ୍କର ଏମ୍‌କେସିଜିରେ ଶନିବାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲା ବଡଗଡ ଗୌଡ଼ ସାହିର ରଘୁନାଥ ଗୌଡ଼ଙ୍କ ପୁଅ କୃଷ୍ଣ (୧୬)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି ନଂ.୫୩୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରକାଶଯେ, ବଡଗଡର ରଘୁନାଥ ସୁରଟର ଏକ କପଡା କମ୍ପାନୀରେ କାମ କରୁଥିଲେ। ଗତ ୬ ମାସ ତଳେ କୃଷ୍ଣ ବାପା ରଘୁନାଥଙ୍କ ସହ ସୁରଟ ଯାଇଥିଲେ। କିଛିଦିନ ତଳେ କୃଷ୍ଣ ସେଠାରେ ଜ୍ୱରରେ ପୀଡିତ ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା, କିନ୍ତୁ ସେ ସୁସ୍ଥ ନ ହେବାରୁ ପୁଅଙ୍କୁ ଧରି ରଘୁନାଥ ବ୍ରହ୍ମପୁର ଫେରିଥିଲେ। ରାସ୍ତାରେ ବିଜୟୱାଡା ନିକଟରେ କୃଷ୍ଣ ଗୁରୁତର ହୋଇ ପଡ଼ିଥିଲେ। ସେଠାରେ ରଘୁନାଥ କୃଷ୍ଣଙ୍କୁ କିଛି ଔଷଧ ଖାଇବାକୁ ଦେଇଥିଲେ। ସେମାନେ ଶନିବାର ସକାଳେ ଅହମଦାବାଦ-ପୁରୀ ଏକ୍ସପ୍ରେସରେ ବ୍ରହ୍ମ୍ମପୁରରେ ପହଞ୍ଚିଥିଲେ। ପରେ ରଘୁନାଥ ଏମ୍‌କେସିଜି ମେଡିକାଲରେ କୃଷ୍ଣଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟ୍ରେନରେ ହିଁ କୃଷ୍ଣଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।