ସୁରଟରୁ ଗଞ୍ଜାମ ଆସିଛି ୨୯୮ ବସ୍‌ : ଫେରିଛନ୍ତି ୧୬,୫୭୬ ପ୍ରବାସୀ

ଭଞ୍ଜନଗର,୧୨।୫(ଡି.ଏନ.)-ସୁରଟରୁ ଏପ୍ରିଲ ୨୯ ତାରିଖରୁ ଗତ ୮ ତାରିଖ ମଧ୍ୟରେ ମୋଟ ୨୯୮ଟି ବସରେ ପ୍ରବାସୀ ଓଡ଼ିଆମାନେ ଗଞ୍ଜାମ ଜିଲାକୁ ଫେରିଛନ୍ତି। ଅନ୍ୟପକ୍ଷରେ ସୋମବାର ପୂର୍ବାହ୍ନ ସୁଦ୍ଧା ସୁରଟରୁ ଜିଲାକୁ ୧୦ଟି କାର୍‌, ୩ ବାଇକ୍‌ ଓ ଗୋଟିଏ ସାଇକେଲରେ ବି ଲୋକ ଆସିଛନ୍ତି। ଭଞ୍ଜନଗର ବ୍ଲକର ଦୁର୍ଗାପ୍ରସାଦ ଓ ଜଗନ୍ନାଥପ୍ରସାଦ ବ୍ଲକର ତାରସିଂ ରାସ୍ତା ଦେଇ ଆସିଥିବା ଏସବୁ ବସ୍‌, କାର୍‌ ଓ ବାଇକ୍‌ ଯୋଗେ ମୋଟ ୧୬, ୫୭୬ ଜଣ ସୁରଟରୁ ଗଞ୍ଜାମ ଜିଲାକୁ ଆସିଥିବା ସୂଚନା ମିଳିଛି। ଏହାପରେ ବି ପଞ୍ଜୀକରଣ ନ କରି ଆଉ କେତେଟି କାର ଓ ସାଇକେଲରେ ମଧ୍ୟ ଲୋକେ ଆସିଥିବା କୁହାଯାଉଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ରରୁ ଟ୍ରେନ୍‌ରେ ଟିଟିଲାଗଡ଼ ଓ ସେଠାରୁ ବସ୍‌ ଯୋଗେ ୧୬୦ଜଣ ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲାକୁ ଆସିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କେରଳ, କର୍ନାଟକ, ପଶ୍ଚିମବଙ୍ଗରୁ ମଧ୍ୟ କେତେକ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ସମସ୍ତ ପ୍ରବାସୀ ଜିଲାର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଅଛନ୍ତି। ସୋମବାର ପୂର୍ବାହ୍ନ ସୁଦ୍ଧା ଭଞ୍ଜନଗର ଉପଖଣ୍ଡର ୮ ବ୍ଲକ ଓ ୫ ଏନ୍‌ଏସିରେ ହୋଇଥିବା ୩୮୩ କ୍ୱାରାଣ୍ଟାଇନ ସେଣ୍ଟରରେ ୧୪, ୮୮୮ ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି । ଆଗକୁ ଆହୁରି ଅଧିକ ପ୍ରବାସୀ ଜିଲାକୁ ଫେରିବା ସମ୍ଭାବନା ଥିବାରୁ ଅଧିକରୁ ଅଧିକ କ୍ୱାରାଣ୍ଟାଇନ ସେଣ୍ଟର ପ୍ରସ୍ତୁତ ହେଉଛି। ଜିଲାରେ ଯେଉଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସେମାନେ ପ୍ରାୟ ସମସ୍ତେ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବାରୁ ସାଧାରଣ ଲୋକେ ଭୟଭୀତ ନ ହେବା ପାଇଁ ଜିଲା ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ନିବେଦନ କରିଛନ୍ତି । ରବିବାର ଭିଡିଓ କନଫେନେନ୍ସିଂ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଲୋକେ ସଚେତନ ହେବା, ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଏବଂ କ୍ୱାରାଣ୍ଟାଇନ ସେଣ୍ଟର ଆଡ଼େ ନଯିବାକୁ ମନ୍ତ୍ରୀ ଆରୁଖ ନିବେଦନ କରିଛନ୍ତି ।