ସୁରକ୍ଷା ପାଇଁ ମାସ୍କ ବାଣ୍ଟୁଛନ୍ତି ମହିଳା

ବାରିପଦା ଅଫିସ, ୨୩ା୩- କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସବୁଠି ମାସ୍କର ଚାହିଦା ବୃଦ୍ଧି ପାଇଛି। ବାରିପଦା ସହରର ଏକ ସିଲେଇ ତାଲିମ କେନ୍ଦ୍ରରେ କାମ କରୁଥିବା କେତେକ ମହିଳା ମାସ୍କ ଅଭାବ ଦୂର କରିବାକୁ ଆଗେଇ ଆସି କପଡ଼ାରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ୨୦୦୦ ମାସ୍କ ତିଆରି କରି ଜିଲାର କଇଁଫୁଲିଆ, ଚକଶୁଳିଆ ପଦା, ମୋରଡ଼ା, ଚିତ୍ରଡ଼ା ଆଦି ଗ୍ରାମରେ ମାଗଣାରେ ବାଣ୍ଟି ସାରିଲେଣି। ଆଗକୁ ୧୦ ହଜାର ମାସ୍କ ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବାରିପଦା ସହରସ୍ଥିତ ଷ୍ଟାର ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁଶନର ଅଧ୍ୟକ୍ଷା ନିରୁପମା ସାହୁ କହିଛନ୍ତି। ସଂସ୍ଥା ପକ୍ଷରୁ ପ୍ରସ୍ତୁତ ମାସ୍କ ବଣ୍ଟନ ବେଳେ ଲୋକେ କରୋନାଠାରୁ କିପରି ଦୂରେଇ ରହିବେ, କିପରି ମାସ୍କ ବ୍ୟବହାର କରିବେ ସେ ନେଇ ସଚେତନ କରାଯାଉଛି। ମହିଳାମାନଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି। କେନ୍ଦ୍ରରେ ତାଲିମ ନେଉଥିବା ୬ରୁ ଊର୍ଦ୍ଧ୍ୱ ମହିଳା ଯୁବତୀ ପ୍ରାୟ ସପ୍ତାହେ ହେଲାଣି ଦିନକୁ ୬ରୁ ୮ ଘଣ୍ଟା ପରିଶ୍ରମ କରି ମାସ୍କ ତିଆରି କରୁଛନ୍ତି। କେନ୍ଦ୍ରକୁ ଯିବା ପୂର୍ବରୁ ସେମାନେ ସାନିଟାଇଜରରେ ହାତ ଧୋଇ ପ୍ରବେଶ କରି ସିଲାଇ କାର୍ଯ୍ୟ ଆରମ୍ଭ କରୁଥିବା କହିଛନ୍ତି।