Categories: ଜାତୀୟ

ସୁପ୍ରିମ୍‌କୋର୍ଟରେ ଯୋଗଦେବେ ୪ ନୂଆ ବିଚାରପତି: ସରକାରଙ୍କୁ ସୁପାରିଶ କଲେ କଲେଜିୟମ୍‌

ନୂଆଦିଲ୍ଲୀ,୨୯।୮: ସୁପ୍ରିମ୍‌କୋର୍ଟରେ ଖୁବ୍‌ ଶୀଘ୍ର ୪ ନୂଆ ବିଚାରପତି ଯୋଗଦେବେ। ଏନେଇ କଲେଜିୟମ୍‌ ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି। ଅଗଷ୍ଟ ୨୭ରେ ବିଚାରପତି ଅଭୟ ମନୋହର ସପ୍ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ପଦବୀ ଖାଲି ରହିଛି। ଏହା ସହିତ ଅନ୍ୟ ୩ ଜଣ ବିଚାରପତିଙ୍କ ନିଯୁକ୍ତି ନେଇ କଲେଜିୟମ୍‌ ପକ୍ଷରୁ ସୁପାରିଶ କରାଯାଇଛି। ୨-୩ ଦିନ ମଧ୍ୟରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଲେଜିୟମ୍‌ ପକ୍ଷରୁ ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ରାମ ସୁବ୍ରମଣ୍ୟନ୍‌, ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି କୃଷ୍ଣ ମୁରାରୀ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଆର୍‌. ରବୀନ୍ଦ୍ର ଭଟ୍ଟ ଏବଂ କେରଳ ହାଇକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ନାମ ସୁପାରିଶ କରାଯାଇଛି। ସୂଚନାଯୋଗ୍ୟ, ବିଚାରପତି ଅଭୟ ମନୋହର ସପ୍ରେଙ୍କ ଅବସର ପରେ ଏବେ ସୁପ୍ରିମ୍‌ କୋର୍ଟରେ ୩୦ ଜଣ ବିଚାରପତି ରହିଛନ୍ତି। ୪ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଏହି ସଂଖ୍ୟା ୩୪ରେ ପହଞ୍ଚିବ। ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅଣାଯାଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ମିଳିବା ପରେ ଏନେଇ ଅଗଷ୍ଟ ୧୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Share