Categories: ଜାତୀୟ

ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ୩୭୦ ଉଚ୍ଛେଦ ନିଷ୍ପତ୍ତି ଯଥାର୍ଥ

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଅନୁଚ୍ଛେଦ ୩୭୦ର ସୁଯୋଗ ନେଇ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀମାନେ ଭାରତର ଶତ୍ରୁ ବିଦେଶୀ ଶକ୍ତିର ସହଯୋଗରେ ପରିସ୍ଥିତିର ଫାଇଦା ଉଠାଉଥିଲେ ବୋଲି କେନ୍ଦ୍ର କହିଛି। ଜଷ୍ଟିସ୍‌ ଏନ୍‌.ଭି. ରମାନା, ଏସ୍‌.କେ. କୌଲ, ଆର୍‌. ସୁଭାଷ ରେଡ୍ଡୀ, ବି.ଆର୍‌ ଗଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ପୀଠ ମାମଲାର ପରବର୍ତ୍ତୀ ଶୁଣାଣି ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ଲାଗି କେନ୍ଦ୍ର ସରକାର ଅଗଷ୍ଟ ୫ରେ ନିଷ୍ପତ୍ତି ନେବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ଏହି ଅନୁଚ୍ଛେଦ ଏକ କ୍ଷଣସ୍ଥାୟୀ ବ୍ୟବସ୍ଥା ବୋଲି ସମ୍ବିଧାନରେ ଉଲ୍ଲେଖ ଥିବା ସରକାର ଜଣାଇଛନ୍ତି। ସତ୍ୟପାଠ ମାଧ୍ୟମରେ ସରକାର ଦର୍ଶାଇଛନ୍ତି, ଏହି ଧାରା ଜମ୍ମୁ-କଶ୍ମୀରର ଲୋକଙ୍କୁ ସୁବିଧା ଦେବା ପରିବର୍ତ୍ତେ ବିକାଶ ପଥରେ ପ୍ରତିବନ୍ଧକ ଥିଲା।

Share