ସୁନ୍ଦରୀ ବିବରଣୀ ମାଗିଲେ କାହ୍ନା କର୍ତ୍ତୃପକ୍ଷ: ବନ୍ୟପ୍ରାଣୀ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ଚିଠି

ବନ୍ତଳା,୨୨ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରାଇଗୁଡ଼ା ଏନ୍‌କ୍ଲୋଜରରୁ ବାଘୁଣୀ ସୁନ୍ଦରୀକୁ ନେବା ପାଇଁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ମଙ୍ଗଳବାର ମଧ୍ୟପ୍ରଦେଶ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ପକ୍ଷରୁ ଓଡ଼ିଶା ବନ୍ୟପ୍ରାଣୀ ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ଚିଠି କରାଯାଇଛି। ଏହାପରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି। ବାଘୁଣୀ ସୁନ୍ଦରୀର ଇତିହାସ, ପ୍ରବୃତି, ସ୍ବାସ୍ଥ୍ୟ ଓ ଆଚରଣ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ସାତକୋଶିଆ କର୍ତ୍ତୃପକ୍ଷ ଏ ନେଇ କାହ୍ନା କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବା ପରେ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସରକାର ସୁନ୍ଦରୀକୁ ସ୍ଥାନାନ୍ତର ନେଇ ଯୋଜନା କରିବେ। ଏ ବିଷୟରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରଦୀପ ରାଜ କରାଟେ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟାରେ ଏନ୍‌ଟିସିଏଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟପ୍ରଦେଶ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ଚିଠି ପାଇଛୁ। ଗୁରୁବାର ଏହାର ରିପୋର୍ଟ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଦିଆଯିବ। ଜାନୁୟାରୀ ଶେଷ ସପ୍ତାହରେ ଛତିଶଗଡ଼ ଓ ଓଡ଼ିଶାର ବନାଞ୍ଚଳ ଅଧିକାରୀମାନେ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଟ୍ରେନିଂ ପାଇଁ ଯିବେ। ସେଠାରେ ସୁନ୍ଦରୀ ବିଷୟରେ ଆଲୋଚନା କରାଯିବ ବୋଲି କରାଟେ ପ୍ରକାଶ କରିଛନ୍ତି।