ସୁନ୍ଦରଗଡ଼ରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର, ୩ ଗିରଫ

କୁଆଁରମୁଣ୍ଡା,୩୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଖୁଖୁଣ୍ଡୁବାହାଲ ନିକଟ ଘଞ୍ଚ ଜଙ୍ଗଲରେ ଗତ ୨୯ ତାରିଖ ବିଳମ୍ବିତ ରାତିରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ୩ ଜଣ ଯୁବକ ରାତିତମାମ ବଳାତ୍କାର କରିଛନ୍ତି। ଏହାପରେ ୩୦ ତାରିଖରେ ସେମାନଙ୍କ କବଳରୁ ଯୁବତୀଜଣଙ୍କ କୌଶଳକ୍ରମେ ଖସିଯାଇ ନିଜ ଘରକୁ ଯାଇଥିଲେ। ପରିବାରଲୋକଙ୍କୁ ସମସ୍ତ ବିଷୟ ଜଣାଇବା ପରେ ତାଙ୍କର ମା’ ଏବଂ ସମ୍ପର୍କୀୟମାନେ ବୁଧବାର ରାତିରେ କୁଆଁରମୁଣ୍ଡା ଫାଣ୍ଡିରେ ପହଞ୍ଚି ଏତଲା ଦେଇଥିଲେ। ଅଭିଯୋଗ ପରେ ବୀରମିତ୍ରପୁର ଆଇଆଇସି, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏକ ସ୍ବତନ୍ତ୍ର ପୋଲିସ ଟିମ୍‌କୁ ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ ଡୁମେରଜୋର ପଞ୍ଚାୟତ କର୍ଲାବୁଡ ଗ୍ରାମର ବିଜୟ ଓରାମ(୨୫), ରଞ୍ଜିତ ଟପ୍ପୋ(୨୬), ସଞ୍ଜିତ ଟପ୍ପୋ(୨୭)। ଏଥିସହ ପୀଡିତାଙ୍କ ଡାକ୍ତରୀମାଇନା ପାଇଁ ଗୁରୁବାର ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।