ସୁଧୁରୁନି ବଉଳିଗଡ଼ ବିଦ୍ୟାଳୟ ସମସ୍ୟା:୮ ଶ୍ରେଣୀକୁ ୩ କୋଠରି

ବଅଁରପାଳ, ୨ା୧୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବଉଳିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ସମସ୍ୟା ଲାଗି ରହିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠପଢୁଥିବାବେଳେ ସ୍କୁଲରେ ଶିକ୍ଷାର ଗୁଣବତ୍ତା, ଭିତ୍ତିଭୂମି, ଶିକ୍ଷକ ନିଯୁକ୍ତି ଆଦି ଦିଗରେ ବିଭାଗ ଆଦୌ ଦୃଷ୍ଟି ଦେଉ ନ ଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଫଳରେ ଏଠାରେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନେ ଉତ୍ତମ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସ୍କୁଲରେ ଶିକ୍ଷକ ଏବଂ ଶ୍ରେଣୀ ଗୃହ ଅଭାବ ମୁଖ୍ୟ ସମସ୍ୟା ହୋଇଛି। ଏଠାରେ ୮ଟି ଶ୍ରେଣୀର ପିଲାଙ୍କ ପାଇଁ ମାତ୍ର ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେହିପରି ବିଦ୍ୟାଳୟରେ ଶ୍ରେଣୀଗୃହ ଭାବେ ମାତ୍ର ୩ଟି କୋଠରି ରହିଛି। ଫଳରେ ଛାତ୍ରୀଛାତ୍ରମାନଙ୍କୁ ଏକାଠି ବସିବାକୁ ପଡୁଛି। ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ଗୋଟିଏ କୋଠରିରେ ବସୁଥିବାବେଳେ ୪ର୍ଥ ଓ ୫ମ ଶ୍ରେଣୀର ପିଲାମାନେ ଗୋଟିଏ ଏବଂ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଗୋଟିଏ କୋଠରିରେ ବସି ପାଠ ପଢୁଛନ୍ତି। ୧୯୬୫ରେ ସ୍ଥାପିତ ଏହି ବିଦ୍ୟାଳୟ ଚାରିପାଖରେ ପାଚେରିଟିଏ ମଧ୍ୟ ନିର୍ମାଣ କରାଯାଇପାରିନାହିଁ। ଫଳରେ ବିଦ୍ୟାଳୟ ମଧ୍ୟରେ ଗୋରୁ, କୁକୁର ପଶି ଗଛପତ୍ର ନଷ୍ଟ କରୁଛନ୍ତି। ତୁରନ୍ତ ଏହି ସବୁ ସମସ୍ୟା ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।