Categories: ଜାତୀୟ

ସୁଖୀ ସୂଚକାଙ୍କରେ ଭାରତର ସ୍ଥାନ ନବମ

ନୂଆଦିଲ୍ଲୀ,୩୧।୮: ଉତ୍ତମ ଆର୍ଥିକ ପରିସ୍ଥିତି ଓ ସୁସ୍ଥ ଜୀବନଯାପନ ଦ୍ୱାରା ଜଣେ ସୁଖୀ ହୋଇପାରେ ବୋଲି ଭାରତୀୟଙ୍କର ଧାରଣା। ଏକ ନୂତନ ସର୍ବେକ୍ଷଣ ରିପୋର୍ଟରୁ ଏହି ସୂଚନା ମିଳିଛି। ବିଶ୍ୱ ସ୍ତରରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି, ସୁଖୀ ସୂଚକାଙ୍କ ତାଲିକାରେ ବିଶ୍ୱର ୨୮ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ନବମରେ ରହିଛି। ବ୍ୟକ୍ତିଗତ ନିରାପତ୍ତା ସହିତ ଦୈନନ୍ଦିନ ଜୀବନରେ ବନ୍ଧୁଭାବାପନ୍ନ ହେବା ଭଳି କେତେକ କାରଣ ସୁଖପୂର୍ଣ୍ଣ ଜୀବନଯାପନ ପାଇଁ ଆବଶ୍ୟକ ବୋଲି ଭାରତୀୟମାନେ ଅନୁଭବ କରନ୍ତି। ମାର୍କେଟ ରିସର୍ଚ୍ଚ ଫାର୍ମ ଇପ୍‌ସସ୍‌ ଦ୍ୱାରା କରାଯାଇଥିବା ‘ଗ୍ଲୋବାଲ ହାପିନେସ୍‌ ସର୍ଭେ’ରୁ ଏହି ସୂଚନା ମିଳିଛି।
ଇପ୍‌ସସ୍‌ ଇଣ୍ଡିଆର କଣ୍ଟ୍ରି ସର୍ଭିସ ଲାଇନ୍‌ ଲିଡର ପାରିଜାତ ଚକ୍ରବର୍ତ୍ତୀଙ୍କ କହିବାନୁଯାୟୀ, ଆରାମଦାୟକ ଜୀବନଯାପନ, ଭଲ ସ୍ବାସ୍ଥ୍ୟ, ଉତ୍ତମ ଆର୍ଥିକ ବ୍ୟବସ୍ଥା, ବନ୍ଧୁ ଓ ସାମାଜିକ ସହଯୋଗ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ଜୀବନଯାପନ ଦ୍ୱାରା ସୁଖ ମିଳେ। ଏ ସବୁ ମଧ୍ୟରେ ହବି ଏବଂ ବ୍ୟକ୍ତିଗତ ସ୍ବାର୍ଥକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ବିକଶିତ ଦେଶର ନାଗରିକମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ସୁଖୀ ବୋଲି ଏଥିରେ କୁହାଯାଇଛି। ଅଷ୍ଟ୍ରେଲିଆ ଓ କାନାଡା (୮୬ ପ୍ରତିଶତ) ସୁଖୀ ଦେଶ ତାଲିକାର ଶୀର୍ଷରେ ରହିଥିବାବେଳେ ଏହା ପଛକୁ ରହିଛି ଚାଇନା(୮୩ ପ୍ରତିଶତ), ଗ୍ରେଟ ବ୍ରିଟେନ(୮୨ ପ୍ରତିଶତ), ଫ୍ରାନ୍ସ (୮୦ ପ୍ରତିଶତ), ଆମେରିକା(୭୯ ପ୍ରତିଶତ), ସୌଦି ଆରବ ଓ ଜର୍ମାନୀ(୭୮ ପ୍ରତିଶତ) ଏବଂ ଭାରତ (୭୭ ପ୍ରତିଶତ)। ଏହି ତାଲିକାର ନବମ ସ୍ଥାନରେ ରହିଛି ଭାରତ। ୨୮ରାଷ୍ଟ୍ର ବିଶିଷ୍ଟ ଏହି ସୁଖୀ ଦେଶ ତାଲିକାର ନିମ୍ନ ଭାଗରେ ରହିଛନ୍ତି ରୁଷିଆ(୪୭ ପ୍ରତିଶତ), ସ୍ପେନ୍‌(୪୬ ପ୍ରତିଶତ) ଏବଂ ଆର୍ଜେଣ୍ଟିନା(୩୪ ପ୍ରତିଶତ)।
ଉଲ୍ଲେଖନୀୟ ବିଷୟ ଏହିକି ୨୦୧୯ରେ ସୁଖ ଆନନ୍ଦର ମାତ୍ରା ଗତବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୧୮ରେ ଭାରତୀୟଙ୍କର ସୁଖସନ୍ତୋଷର ମାତ୍ରା ୮୩ ପ୍ରତିଶତ ଥିବାବେଳେ ୨୦୧୯ରେ ଏହା ୬ପ୍ରତିଶତ ହ୍ରାସପାଇ ୭୭ରେ ପହଞ୍ଚତ୍ଛି।

Share