ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛିି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି।
ଛତିଶଗଡ଼ର ଡି.ଆଇ.ଜି. (ଆଣ୍ଟି ନକ୍ସଲ ଅପେରଶନ୍‌) ସୁନ୍ଦର ରାଜଙ୍କ ସୂଚନାଅନୁଯାୟୀ, ସକାଳେ ସୁକୁମା ଜିଲା ଦାବାତ୍କୋଣ୍ଟା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ମେଳି ଚାଲିଥିବା ଖବର ପାଇକୋବ୍ରା, ସିଆର୍‌ପିଏଫ୍‌, ଏସ୍‌ଟିଏଫ୍‌, ଡିଆର୍‌ଜି ଯବାନମାନେ ଉକ୍ତ ସ୍ଥାନ ଘେରାଉ କରିଥିଲେ। ଏହା ଜାଣିବା ପରେ ମାଓବାଦୀମାନେ ଗୁଳି ଚାଳଣା କରିଥିଲେ। ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ମଧ୍ୟ ଗୁଳି ଚଳାଇ ଥିଲେ। କିଛି ସମୟ ଧରି ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନମାନେ ତଲାସି ସମୟରେ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିବା ସହ ଏସ୍‌ଏଲ୍‌ ରାଇଫଲ ଜବତ କରିଛନ୍ତି। ତେବେ ଏହି ଘଟଣାରେ ଅନେକ କ୍ୟାଡର ମାଓବାଦୀ ମୃତ୍ୟୁବରଣ କରିଥିବା ପୁଲିସ ସନ୍ଦେହ ପ୍ରକାଶ କରି ସେହି ଅଞ୍ଚଳରେ ତଲାସି ଜାରି ରଖିଛିନ୍ତି। ଏଯାବତ୍‌ ମୃତ ମହିଳା ମାଓବାଦୀଙ୍କ ପରିଚୟ ମିଳପାରିି ନାହିଁ।