ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ୨୦ ଦିନ ପରେ କୋର୍ଟରେ ଠିକାସଂସ୍ଥାର ମାଲିକ-ପୁଅଙ୍କ ଆତ୍ମସମର୍ପଣ

ପାଟଣାଗଡ,୧୯।୫ (ଡି.ଏନ୍‌.ଏ.): ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ମୁନ୍ଦଲସର ସୁକତେଲ ନଦୀ ବ୍ରିଜ ଗତ ୨୯ ତାରିଖ ଦିନ ମରାମତି ବେଳେ ଭୁଶୁଡି ପଡିଥିଲା। ବ୍ରିଜ ସ୍ଲାବ ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଲରମ୍ଭା ଥାନାରେ ଏକ ମାମଲା(ନଂ. ୪୮/୨୦) ରୁଜୁ ହୋଇଥିଲା। ବ୍ରିଜ ଭୁଷୁଡିବା ଘଟଣା ପରେ ରାମକୁମାର ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡ୍‌ର ଠିକାଦାର ଏବଂ ବିଭାଗୀୟ ଅଧିକାରୀମାନେ ଫେରାର ହୋଇ ଯାଇଥିଲେ। ତେବେ ଏହି ଘଟଣାରେ ଗତ ୬ ତାରିଖରେ ଠିକା ସଂସ୍ଥାର କର୍ମଚାରୀ ଦିନେସ ନାୟାରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଟଣାଗଡର ନିର୍ବାହୀ ଅଧିକାରୀ ଆନ୍ତୋନି କିଷାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ମଙ୍ଗଳବାର ଘଟଣାର ୨୦ ଦିନ ପରେ ଠିକା ସଂସ୍ଥା ରାମକୁମାର ଅଗ୍ରୱାଲ ଇଂଜିନିୟର୍ସ ପ୍ରାଇଭେଟ ଲିମିଟେଡର ମାଲିକ ରାମକୁମାର ଅଗ୍ରୱାଲ ଏବଂ ତାଙ୍କ ପୁଅ ସଂଜୟ ଅଗ୍ରୱାଲ କୋର୍ଟରେ ଆମତ୍ସମର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୯ ତାରିଖ ଦିନ ଏହି ଘଟଣା ଘଟିଥିବା ବେଳେ ଲରମ୍ଭା ଥାନା କେଶ ନଂ ୪୮ ଦଫା ୨୮୭/୩୦୪ ଏ/୩୩୭/୩୩୮/୩୪ ଅନୁଯାୟୀ ମାମଲା ରୁଜୁ ହୋଇଥିଲା ଏବଂ ସେହି ଦିନ ଠାରୁ ରାମକୁମାର ଅଗ୍ରୱାଲ ଏବଂ ସଞ୍ଜୟ ଅଗ୍ରୱାଲ ଫେରାର ହୋଇଯାଇଥିଲେ। ସକାଳ ୯ଟା ସମୟରେ ପାଟଣାଗଡ ଏସ୍‌ଡିଜେଏମ୍‌ କୋର୍ଟରେ ଉଭୟେ ହାଜର ହୋଇ ଜାମିନ ପାଇଁ ଆବେଦନ କରିଥିଲେ। ପରେ ମାନ୍ୟବର ଅଦାଲତ ଦୁଇ ଜଣ ଜାମିନଦାର ସହ ୨୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ।