ସୀମିତ ଖଣ୍ଡପୀଠରେ କାର୍ଯ୍ୟକରିବ ହାଇକୋର୍ଟ

କଟକ ଅଫିସ୍‌,୧୭ା୪: କେନ୍ଦ୍ର ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଅବଧି ମେ’ ୩କୁ ବୃଦ୍ଧି ପାଇଛି। ତେଣୁ ଏହି ସମୟରେ ସୀମିତ ଖଣ୍ଡପୀଠରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରାଯିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ’ ୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଡିଭିଜନ୍‌ ବେଞ୍ଚ(୨ଜଣିଆ ଖଣ୍ଡପୀଠ) ଏବଂ ଦୁଇଟି ସିଙ୍ଗ୍‌ଲ୍‌ ବେଞ୍ଚ(ଜଣିକିଆ ଖଣ୍ଡପୀଠ)କୁ ନେଇ ହାଇକୋର୍ଟ କାର୍ଯ୍ୟ କରିବ ବୋଲି ରେଜିଷ୍ଟ୍ରାର୍‌ ଜୁଡିସିଆଲ୍‌ ପି.କେ. ପାତ୍ର ସୂଚନା ଦେଇଛନ୍ତି। ତେବେ ଏହା ନିୟମିତ ବଦଳରେ କାର୍ଯ୍ୟଦିବସଗୁଡ଼ିକରେ ଦିନେ ଛଡ଼ା ଦିନେ ଅର୍ଥାତ୍‌ ଏପ୍ରିଲ୍‌ ୧୭, ୨୦, ୨୨, ୨୪, ୨୯ ଏବଂ ମେ’ ୧ ତାରିଖରେ କାର୍ଯ୍ୟ କରିବ। ଏପରି କି ସମସ୍ତ ଶୁଣାଣି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯିବ। ଆବେଦନ ଦାଖଲ କାଉଣ୍ଟର ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। କାଉଣ୍ଟର୍‌ରେ ଯେମିତି ଭିଡ଼ ନ ହୁଏ ଏବଂ ସାମାଜିକ ଦୂରତା ପାଳନ କରାଯିବ ସେଥିପାଇଁ ଆବଶ୍ୟକ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରାଯିବ। ଆଇନ୍‌ଜୀବୀଙ୍କଠାରୁ ଆବେଦନଗୁଡ଼ିକ ଗ୍ରହଣ କରିବା ପାଇଁ ସେକ୍ସନ୍‌ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କ ବିଭାଗର କର୍ମଚାରୀଙ୍କ ରୋଷ୍ଟର୍‌ ଡ୍ୟୁଟି ପ୍ରସ୍ତୁତ କରିବେ। ସେହିଭଳି ଜୁଡିସିଆଲ୍‌ ସେକ୍ସନର ସୁପରିଣ୍ଟେଣ୍ଡେଣ୍ଟମାନେ ମଧ୍ୟ ଆବଶ୍ୟକ କର୍ମଚାରୀଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବେ। କୋର୍ଟ କାର୍ଯ୍ୟକୁ ସହଜ କରିବାକୁ ପଦକ୍ଷେପ ନେବା ପାଇଁ ଅନ୍ୟ ବିଭାଗର ସୁପରିଣ୍ଟେଣ୍ଡେଣ୍ଟମାନଙ୍କୁ ଦାୟିତ୍ୱ ଦିଆଯାଇଛି ।