Categories: ଜାତୀୟ

ସୀମା ଟପିଲାଣି ବର୍ବରତା

ନୂଆଦିଲ୍ଲୀ,୬।୧୨:ଦେଶରେ ଯୌନ ପିପାସୁଙ୍କ ବର୍ବରତା ସୀମା ଟପିଲାଣି। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାକୁ ନେଇ ବିକ୍ଷୋଭ ଥମି ନ ଥିବାବେଳେ ଦିନକୁ ଦିନ ମହିଳା ବିରୋଧୀ ଅପରାଧ ଅଧ୍ୟାୟରେ ଯୋଡ଼ିହୋଇଯାଉଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଏହିକ୍ରମରେ ଗୁରୁବାର ସାମ୍ନାକୁ ଆସିଛି ଆଉ ୪ଟି ଜଘନ୍ୟକାଣ୍ଡ।
ସୀତାପୁରରେ ଜଣେ ୧୫ ବର୍ଷୀୟା ବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଗତ ୩ ତାରିଖରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଏକ ଆଖୁ କ୍ଷେତକୁ ନେଇ ବଳାତ୍କାର କରିବା ପରେ ତାଙ୍କ ହାତଗୋଡ଼କୁ ବାନ୍ଧି ଫେରାର ହୋଇଯାଇଥିଲେ। ବୁଧବାର ପରିବାର ଲୋକେ ଓ ଗ୍ରାମବାସୀ ପୀଡ଼ିତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ରୂପେଶ ଓ ଯୋଗୀନ୍ଦ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ଏସ୍‌ପି ଏଲ୍‌.ଆର୍‌. କୁମାର ସୂଚନା ଦେଇଛନ୍ତି। ସେହିପରି ମୁମ୍ବାଇର ଜଣେ ଝିଅଙ୍କୁ ରାଜସ୍ଥାନ ରାଜଧାନୀ ଜୟପୁରର ଏକ ହୋଟେଲରେ ବଳାତ୍କାର କରାଯାଇଛି। ୧୯ ବର୍ଷୀୟା ପୀଡ଼ିତା ଉକ୍ତ ହୋଟେଲରେ ତାଲିମ ନେଉଥିଲେ। ସେ ତାଙ୍କ ବନ୍ଧୁମାନଙ୍କ ସହ ଶୁକ୍ରବାର ରାତିରେ ଏକ କ୍ଲବ୍‌ ପାର୍ଟିରେ ଯୋଗଦେଇଥିବାବେଳେ ଉକ୍ତ ହୋଟେଲର କର୍ମଚାରୀ ଅକ୍ଷୟ ତାଙ୍କୁ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତା ଖୋ ନାଗୋରିଆନ୍‌ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଏଯାଏ ଗିରଫ କରିପାରି ନାହିଁ। ଇତିମଧ୍ୟରେ ଗୁରୁବାର ପଶ୍ଚିମବଙ୍ଗର ମାଲ୍‌ଦା ଜିଲାସ୍ଥିତ ଇଂଲିଶ୍‌ ବଜାରର ଏକ ଆମ୍ବ ବଗିଚାରୁ ସ୍ଥାନୀୟ ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ସମ୍ପୃକ୍ତ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ୨୦ ବର୍ଷୀୟା ଯୁବତୀଙ୍କ ପରିଚୟ ନଷ୍ଟ କରିବା ଲାଗି ତାଙ୍କ ମୁହଁ ଓ ଦେହରେ ଅନେକ କ୍ଷତ ଏବଂ ପୋଡ଼ା ଚିହ୍ନ ସୃଷ୍ଟି କରାଯାଇଛି।

Share