Categories: ଜାତୀୟ

ସୀମାରେ ଯବାନଙ୍କ ପାଖରେ ଅସ୍ତ୍ର ଥାଏ

ନୂଆଦିଲ୍ଲୀ,୧୯ା୬:ଚାଇନା ସୀମାରେ ମୁତୟନ ସମସ୍ତ ଭାରତୀୟ ଯବାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥାଏ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର କହିଛନ୍ତି। ଗଲଓ୍ବାନକୁ ବିନା ଅସ୍ତ୍ରରେ ଭାରତୀୟ ଯବାନଙ୍କୁ କାହିଁକି ପଠାଯାଇଥିଲା ଓ ଏଥିପାଇଁ କିଏ ଦାୟୀ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିବାବେଳେ ଜୟଶଙ୍କର ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି, ୧୯୯୬ ଏବଂ ୨୦୦୫ ଦ୍ୱିପାକ୍ଷିକ ଚୁକ୍ତି ଅନୁଯାୟୀ ଦୁଇଦେଶର ସେନା ଗୁଳିଗୋଳା ବର୍ଷଣ କରିପାରିବେ ନାହିଁ। ଗଲଓ୍ବାନରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲେ ହେଁ ବନ୍ଧୁକ ଧରି ମଧ୍ୟ କେହି କାହାକୁ ଗୁଳିକରି ନ ଥିଲେ। ଏହି ଦୁଇ ଚୁକ୍ତି ଯୋଗୁ ସେମାନେ କେବଳ ହାତାହାତି ହୋଇଥିଲେ। ଏଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ୪ ଆହତ ହୋଇଥିଲେ। ପ୍ରକାଶଥାଉ କି, ସଂଘର୍ଷ ପରେ ଚାଇନାର କେତେ ସେନା ମୃତାହତ ହୋଇଛନ୍ତି, ସେ ସମ୍ପର୍କରେ ପଡ଼ୋଶୀ ଦେଶ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। କେବଳ ଆମେରିକା ପକ୍ଷରୁ ଚାଇନାର ୩୫ ସେନା ମରିଥିବା ଦର୍ଶାଯାଇଛି।

Share