Categories: ରାୟଗଡା

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତୀ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଅମରା ଓ ରାଟିଣୀ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳ ସୁଦ୍ଧା ଏହି ହାତୀଗୁଡିକ ଆନ୍ଧ୍ରର ବସନ୍ଧରା ଏବଂ ଓଡିଶାର ଭିନୋଳା, ବାପୁଜୀ ପେଣ୍ଠ ଅଞ୍ଚଳ ଦେଇ ଆନ୍ଧ୍ରର ସୀମାନ୍ତବର୍ତ୍ତୀ ମିଳିଆପୁଟି ନିକଟବର୍ତ୍ତୀ ଜଙ୍ଗଲରେ ରହିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ହାତୀଙ୍କ ପାଇଁ କୌଣସି ସ୍ଥାନରେ କ୍ଷୟକ୍ଷତି ଘଟିନାହିଁ। ବିଗତ ବର୍ଷ ଗଜପତି ଜିଲାର ମହେନ୍ଦ୍ରଗିରି, ରାୟଗଡ, ଗୋଷାଣୀ ଏବଂ ପାରଳାଖେମୁଣ୍ଡି ଉପକଣ୍ଠ ସେଞ୍ଚରିଆନ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ପାହାଡିଆ ଅଞ୍ଚଳରେ କେତେକ ହାତୀଙ୍କୁ ଦେଖିବାକୁ ମିଳିଥିଲା। ସେ ସମୟରେ ହାତୀମାନେ ଅନେକ ଫସଲ କ୍ଷୟକ୍ଷତି ଘଟାଇଥିଲେ। ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ସେମାନେ ଜିଲାର ବିଭିନ୍ନ ଜଙ୍ଗଲରେ ରହିଥିଲେ। ତେବେ ହାତୀଙ୍କ ପାଇଁ କୌଣସି କ୍ଷତି ଘଟି ନ ଥିଲେ ମଧ୍ୟ ଅଞ୍ଚଳବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି।