Categories: ଖେଳ

ସିବିଏସ୍‌ଇ କ୍ଲଷ୍ଟର ଆଥଲେଟିକ୍‌ ଚାମ୍ପିୟନଶିପ୍‌: ଶ୍ରେଷ୍ଠ ପ୍ରଦର୍ଶନ ସହ ଆଂଶିକାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨।୧୦(କ୍ରୀଡ଼ା ପ୍ରତିନିଧି)-ଛତିଶଗଡ଼ର ରାୟପୁରଠାରେ ଅନୁଷ୍ଠିତ ସିବିଏସ୍‌ଇ କ୍ଲଷ୍ଟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଆଂଶିକା ରାଉତରାୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ଶଟ୍‌ପୁଟ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ସମ୍ପ୍ରତି ସାଇ ଇଣ୍ଟରନ୍ୟାଶନାଲ ସ୍କୁଲରେ ଅଧ୍ୟୟନରତ ଆଂଶିକା ୧୨.୬୫ ମିଟର ଦୂରକୁ ଶଟ୍‌ପୁଟ୍‌ ଥ୍ରୋ କରିଥିଲେ। ଏହା ଥିଲା ତାଙ୍କର କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୧୧.୮୪ ମିଟର ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଆଂଶିକାଙ୍କ ମା’ ହେଉଛନ୍ତି ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଏବଂ ପିତା ପରମାନନ୍ଦ ରାଉତରାୟ। ରାୟପୁର ଇଭେଣ୍ଟରେ ଆଂଶିକାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ ହ୍ଳାଦିନୀ ସାହୁ। ଛତିଶଗଡ଼ର ଆଦିତ୍ୟବିର୍ଲା ସ୍କୁଲରେ ଅଧ୍ୟୟନରତ ହ୍ଳାଦିନୀ ୯.୯୧ ମିଟର ଦୂରକୁ ଶଟ୍‌ପୁଟ୍‌ ଫିଙ୍ଗିଥିଲେ। ସେହିପରି ପଶ୍ଚିମବଙ୍ଗର ଜି.ଡି. ଗୋଏଙ୍କା ପବ୍ଲିକ୍‌ ସ୍କୁଲ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା କୋମଲ ବଜାଜ ୮.୧୪ ମିଟର ଦୂରକୁ ଶଟ୍‌ପୁଟ୍‌ ଥ୍ରୋ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Share