Categories: ପୁରୀ

ସିପିଆଇ ପକ୍ଷରୁ ବ୍ଲକ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ

ନିମାପଡ଼ା,୨।୬(ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ ଓ କାଳବୈଶାଖୀ ପ୍ରଭାବରେ ନିମାପଡ଼ାରେ କୃଷି ଓ କୃଷକମାନଙ୍କ ବହୁଳ ଭାବେ କ୍ଷତି ଘଟିଛି। ଏଭଳି ପରିସ୍ଥିତିରେ କୃଷକମାନଙ୍କୁ ଅଣଦେଖା କରାଯିବା ପ୍ରତିବାଦରେ ସିପିଆଇ ନିମାପଡ଼ା ଜୋନାଲ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ନିମାପଡ଼ା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହାସହ ୧୩ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓ ମନୋଜ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି। କରୋନା ଯୋଗୁ ବକେୟା କୃଷି ଋଣ ଛାଡ଼ କରିବା, ଖରିଫ ଚାଷ ପାଇଁ କୃଷକଙ୍କୁ ମାଗଣାରେ ସାର, ବିହନ, କୀଟନାଶକ ଯୋଗାଇବା, ବିନା ସୁଧରେ କୃଷି ଋଣ ଦେବା, ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାକୁ କୃଷି କ୍ଷେତ୍ରରେ ବିନିଯୋଗ କରାଯିବା, ଚାଷୀ ଓ ମୂଲିଆଙ୍କ ପେନ୍‌ସନ୍‌ ଦେବା, ପ୍ରବାସୀ ଶ୍ରମିକଙ୍କୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ ଆଦି ଦାବି ଅନ୍ତର୍ଭୁକ୍ତ। ବିକ୍ଷୋଭରେ ସିପିଆଇ ନେତା ଦେବେନ୍ଦ୍ର ନାଥ ସାହୁ, କୃଷ୍ଣଚନ୍ଦ୍ର ରାଉତ, ସନାତନ ପାତ୍ର, ପ୍ରଫୁଲ୍ଲ ସାହୁ, ଦଣ୍ଡପାଣି ସାହୁ, ସନ୍ତୋଷ ବେହେରା, ମହେନ୍ଦ୍ର ବାରିକ ପ୍ରମୁଖ ସାମିଲ ଥିଲେ।