Categories: ଜାତୀୟ

ସିଏଏ ନିଆଁରେ ଓଡ଼ିଆ ଯୁବକ

ନୂଆଦିଲ୍ଲୀ,୧୯।୧୨: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ଉଗ୍ରରୂପ ଧାରଣ କରିଛି। ଉତ୍ତର-ପୂର୍ବରେ ଆରମ୍ଭ ହୋଇଥିବା ଆନ୍ଦୋଳନର ନିଆଁ ପଶ୍ଚିମବଙ୍ଗ ଦେଇ ରାଜଧାନୀ ଦିଲ୍ଲୀକୁ ବ୍ୟାପିଥିବାବେଳେ ବୁଧବାର ଇଣ୍ଡିଆ ଗେଟ୍‌ ନିକଟରେ ଏହାର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ଯୁବକ। ବିକ୍ଷୋଭ ପ୍ରଦର୍ଶନ ବେଳେ ୨୫ ବର୍ଷୀୟ କାର୍ତ୍ତିକ ମେହେର ନିଜ ଦେହରେ ନିଆଁ ଲଗାଇଦେଇଛନ୍ତି। ଏଥିରେ ତାଙ୍କ ଶରୀରର ୯୦ ଭାଗ ଜଳିଯାଇଛି। ପୋଲିସ କାର୍ତ୍ତିକଙ୍କୁ ଉଦ୍ଧାର କରି ଏକ ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
କେନ୍ଦ୍ର ସରକାରଙ୍କ ବିବାଦୀୟ ନାଗରିକତ୍ୱ ଆଇନକୁ ନେଇ ସାରା ଦେଶରେ ଆନ୍ଦୋଳନର ନିଆଁ ଜଳୁଛି। ଦିଲ୍ଲୀରେ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍‌ଆଇୟୁ) ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ ଜୁଲମକୁ ସବୁ ମହଲରେ ନିନ୍ଦା କରାଯାଉଛି। ଏହାସହ ସିଏଏକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି ଜୋର୍‌ ଧରିଛି। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟାରେ ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଛାତ୍ରୀଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ରାଇସିନା ହିଲ୍‌ସ୍ଥିତ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌କୁ ସଂଯୋଗ କରୁଥିବା ରାଜପଥ ସଂଲଗ୍ନ ଲନ୍‌ରେ ବିକ୍ଷୋଭକାରୀମାନଙ୍କ ସହ କାର୍ତ୍ତିକ ମେହେର ଥିଲେ। ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ନିକଟରେ ଥିବା ଦିଲ୍ଲୀ ପୋଲିସର ପିସିଆର ଭ୍ୟାନ୍‌ରେ ତାଙ୍କୁ ରାମମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଶରୀରର ୯୦% ଜଳିଯାଇଥିବାରୁ ଏମର୍ଜେନ୍ସି ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। କାର୍ତ୍ତିକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ରାମମନୋହର ହସ୍ପିଟାଲର ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ମୀନାକ୍ଷୀ ଭରଦ୍ୱାଜ କହିଛନ୍ତି। ଅନ୍ୟପକ୍ଷରେ କାର୍ତ୍ତିକ ଏହି ବିକ୍ଷୋଭରେ ସାମିଲ ନ ଥିଲେ। କାର୍ତ୍ତିକଙ୍କ ମୁଣ୍ଡ ଠିକ୍‌ ନ ଥିବା ତାଙ୍କ ଭାଇ କହିଛନ୍ତି ବୋଲି ଡେପୁଟି ଡିସିପି ଐଶ୍‌ ସିଂହଲ ସଫେଇ ଦେଇଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ମୁଖପାତ୍ର ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।

Share