Categories: ଜାତୀୟ

ସିଏଏ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକ ବାଧ୍ୟ। ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ଏହି ଆଇନ ଅଣାଯାଇଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କରିବା ଅଧିକାର କୌଣସି ରାଜ୍ୟ ସରକାରଙ୍କର ନାହିଁ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସିଏଏକୁ ଅସାମ୍ବିଧାନିକ ଦର୍ଶାଇ କେତେଜଣ ମୁଖ୍ୟମନ୍ତ୍ରୀ ଏହାକୁ ନିଜ ନିଜ ରାଜ୍ୟରେ ଲାଗୁ କରିବାକୁ ମନାକରିଦେଇଛନ୍ତି। ସେମାନେ ହେଲେ ମମତା ବାନାର୍ଜୀ (ପଶ୍ଚିମବଙ୍ଗ), ଅମରିନ୍ଦର ସିଂ (ପଞ୍ଜାବ), ପିନାରାୟି ବିଜୟନ୍‌ (କେରଳ), କମଲନାଥ (ମଧ୍ୟପ୍ରଦେଶ) ଓ ଭୂପେଶ ବାଘେଲ (ଛତିଶଗଡ଼)। ବିଜୟନ୍‌ ଗୁରୁବାର କହିଥିଲେ, ତାଙ୍କ ରାଜ୍ୟରେ ‘ଏକ ସମ୍ବିଧାନବିରୋଧୀ ଆଇନର କୌଣସି ସ୍ଥାନ ନାହିଁ।’ ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ମଧ୍ୟ ଏହାକୁ ଦୃଢ଼ବିରୋଧ କରି କହିଛନ୍ତି, ଭାଜପା ଇସ୍ତାହାରରେ ବିକାଶ ପ୍ରସଙ୍ଗ ପରିବର୍ତ୍ତେ ଦେଶକୁ ବିଭାଜନ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଧର୍ମ ଆଧାରରେ ନାଗରିକତ୍ୱ କାହିଁକି ସ୍ଥିର କରାଯିବ? ସଂଖ୍ୟାବଳ ଥିବାରୁ ତୁମେ ଲୋକ ସଭା ଓ ରାଜ୍ୟ ସଭାରେ ବଳପୂର୍ବକ ଆଇନ ପ୍ରଣୟନ କରିପାରିବ। କିନ୍ତୁ ଦେଶ ବିଭାଜନ କରିବା ପାଇଁ ତୁମକୁ ଆମେ ଅନୁମତି ଦେବୁନାହିଁ। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଏହି ଆଇନକୁ ଭାରତର ଧର୍ମନିରପେକ୍ଷ ଚରିତ୍ର ଉପରେ ଆକ୍ରମଣ ଭାବେ ଅଭିହିତ କରିଛନ୍ତି। ପଞ୍ଜାବରେ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଦିଆଯିବନାହିଁ ବୋଲି ସେ କହିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି, ଏହି ଆଇନ ସମ୍ପୂର୍ଣ୍ଣ ଭାବେ ଅସାମ୍ବିଧାନିକ। ଏ ସଂକ୍ରାନ୍ତ ବିଲ୍‌କୁ ନେଇ କଂଗ୍ରେସ ଯାହା ନିଷ୍ପତ୍ତି ନେବ ଛତିଶଗଡ଼ରେ ତାହା ଲାଗୁ ହେବ। ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ବିଭାଜନର ମଞ୍ଜି ବୁଣୁଥିବା ଏକ ପ୍ରକ୍ରିୟାରେ ଆମେ ଭାଗୀଦାର ହେବୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ର ତାଲିକାରେ ଥିବା ଏକ କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ ପାଇଁ ମନାକରିବା ସକାଶେ କ୍ଷମତା କୌଣସି ରାଜ୍ୟ ପାଖରେ ନାହିଁ।

Share