ସିଏଏ, ଏନ୍‌ଆର୍‌ସି ବିରୋଧରେ ମାନବ ଶୃଙ୍ଖଳ

କଟକ ଅଫିସ, ୨୮ା୧୨: କେନ୍ଦ୍ର ସରକାର ବେକାରୀ, ଦରଦାମ୍‌ ବୃଦ୍ଧି ଓ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି। ସେହିପରି ଛାତ୍ର, ଯୁବକ, ମହିଳା, ଚାଷୀ, ଶ୍ରମିକଙ୍କ ସମସ୍ୟା ମଧ୍ୟ ଦୂର କରିପାରି ନାହାନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଦେଶର ଜନସାଧାରଣଙ୍କୁ ଧର୍ମ ଭିତ୍ତିରେ ଭାଗ ଭାଗ କରି ନିର୍ବାଚନୀ ଫାଇଦା ହାସଲ ପାଇଁ ଉଦ୍ୟମ କରୁଛନ୍ତି ବୋଲି ମହାନଗର ନାଗରିକ ମଞ୍ଚ ଅଭିଯୋଗ କରିଛି। ସେହିପରି ସିଏଏ ଏବଂ ଏନ୍‌ଆର୍‌ସି ଲାଗୁ ବିରୋଧରେ ଶୁକ୍ରବାର ନେତାଜୀ ସେତୁ ପାଖରେ ସଙ୍ଗଠନ ପକ୍ଷରୁ ଏକ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଥିଲା। ନାଗରିକତ୍ୱ ସଂଶୋଧନ ଆଇନ, ପ୍ରସ୍ତାବିତ ଏନ୍‌ପିଆର୍‌ ଓ ଏନ୍‌ଆର୍‌ସି ପ୍ରତ୍ୟାହାର, ତୁରନ୍ତ ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟାଚାର ବନ୍ଦ, ସମ୍ପୃକ୍ତ ପୋଲିସ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ମୃତାହତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ଆଦି ଦାବିରେ ବିଭିନ୍ନ ନାଗରିକ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏହି ବିଶାଳ ମାନବ ଶୃଙ୍ଖଳ କରାଯାଇଥିଲା। ଏଥିରେ ପ୍ରଫେସର ବୀରେନ୍ଦ୍ର ନାୟକ, ଚିତ୍ତରଞ୍ଜନ ମହାନ୍ତି, ପ୍ରଶାନ୍ତ ଦାସ, ଡ. ସତ୍ୟ ରାୟ, ଶିଶିର ଦାସ, ଯୁଗଳ କିଶୋର ନାୟକ, ଲକ୍ଷ୍ମୀ ମହାନ୍ତି, ବିଶ୍ୱାବସୁ ଦାସ, ଆଇନଜୀବୀ ଶିଶିର ଦାସ, ଡଲି ଦାସ, ଡ. ବିଶ୍ୱଜିତ୍‌, ଅକ୍ଷୟ ଦାସ, କ୍ଷୀରୋଦ ରାଉତ, ଗଣେଶ୍ୱର ସେଠୀ, ବିଜୟ ପଢିହାରୀ, ଡ. ରବିରଞ୍ଜନ ସାହୁଙ୍କ ସମେତ ୨ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୋଗ ଦେଇଥିଲେ।