ସିଇଓଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ:ଯୋଗଦେଲେନି କଂଗ୍ରେସର ପ୍ରତିନିଧି

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସୁରେନ୍ଦ୍ର କୁମାର ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ବିଜେପୁର ଉପନିର୍ବାଚନ ପାଇଁ ଜାରି କରାଯାଇଥିବା ବିଜ୍ଞପ୍ତି, ନାମାଙ୍କନପତ୍ର ଦାଖଲର ଶେଷ ତାରିଖ, ନାମାଙ୍କନପତ୍ର ଯାଞ୍ଚ, ପ୍ରତ୍ୟାହାର, ମତଦାନ ତାରିଖ ଓ ଭୋଟ ଗଣତି ସହ ନିର୍ବାଚନ ପ୍ରକ୍ରିୟା ଶେଷ ଇତ୍ୟାଦି ତଥ୍ୟଗୁଡ଼ିକୁ ବୈଠକରେ ଅବଗତ କରାଇଛନ୍ତି। ବୈଠକରେ ଉପସ୍ଥିତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଅବଗତ କରାଇବା ପରେ ଆସନ୍ତା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ଉପରେ ସୁରେନ୍ଦ୍ର କୁମାର ସେମାନଙ୍କ ସହଯୋଗ କାମନା କରିଛନ୍ତି। ବୈଠକରେ ବିଜେଡି ଓ ଭାଜପା ସଦସ୍ୟ ଉପସ୍ଥିତ ଥିବାବେଳେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ଅନୁପସ୍ଥିତ ରହିଥିଲେ। ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ବରଗଡ଼ ଜିଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି। ସର୍ବସାଧାରଣ କୋଠାଗୁଡିକରେ ନିର୍ବାଚନ ସମ୍ପର୍କିତ ବ୍ୟାନର, ହୋଡିଂ ଓ ପୋଷ୍ଟର ଗୁଡ଼ିକୁ ନ ଲଗାଇବା ପାଇଁ ରାଜନୈତିକ ଦଳ ଓ ସେମାନଙ୍କ କର୍ମୀମାନଙ୍କୁ ଅନୁରୋଧ କରାଯାଇଛି। ନାମାଙ୍କନପତ୍ର ଦାଖଲବେଳେ ପ୍ରାର୍ଥୀମାନେ ଫର୍ମ ନଂ ୨୬ରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ, ହେଲେ ସତ୍ୟପାଠ ଫର୍ମର କୌଣସି ସ୍ତମ୍ଭ କିମ୍ବା କୌଣସି ଧାଡ଼ି ଖାଲି ରହିବ ନାହିଁ। ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ଥାଏ, ତେବେ ସେମାନେ ନର୍ବାଚନ ପ୍ରଚାର ସମୟରେ ୩ଥର ଗଣମାଧ୍ୟମରେ ସେନେଇ ପ୍ରଚାର ପ୍ରସାର କରାଇବେ। ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଇଭିଏମ୍‌/ଭିଭିପିଏଟି କ୍ଷେତ୍ରରେ ଏମ୍‌-୩ ଭର୍ସନ ମେଶିନ୍‌ ବ୍ୟବହାର କରାଯିବ ବୋଲି ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।