ସିଂହଳା ଗ୍ରାମରେ ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଧାନ, କଦଳୀ ଓ ପନିପରିବା

ଗୋପାଳପୁର,୨୨ା୧: ଗୋଳନ୍ଥରା ଥାନା ଅଞ୍ଚଳର ଗୋବିନ୍ଦ ନଗର, କୃଷ୍ଣନଗର, ଏରେଣ୍ଡା, ଭାଲିଆଗଡ଼, ଗୋବିନ୍ଦନଗର, ରାଧାମୋହନପୁର, ଝିଙ୍କିପଦର ଆଦି ଗ୍ରାମରେ ଗତ ୧୫ ଦିନ ହେଲା ହାତୀପଲ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ବନ ବିଭାଗ ହାତୀ ଘଉଡ଼ାଇବାକୁ ଉଦ୍ୟମ କରି ନାକେଦମ ହୋଇ ପଡ଼ିଲେଣି। ଗତ ୨ଦିନ ହେଲା ୧୪ଟି ହାତୀ ଟାମଣା ଜଙ୍ଗଲରେ ଘୁରି ବୁଲୁଛନ୍ତି। ହାତୀପଲ ଟାମଣା ରାସ୍ତା ପାର ହେଉଥିବା ମଧ୍ୟ ବନ ବିଭାଗ କର୍ମଚାରୀ ଦେଖିଥିବା ସୂଚନା ମିଳିଛି। ମଙ୍ଗଳବାର ମଧ୍ୟରାତ୍ରରେ ସିଂହଳା ଗ୍ରାମର ଭାଲୁ ଗୌଡ଼ଙ୍କ ଜମିରେ ୧୫ ଭରଣ ଧାନ, କଦଳୀ ଗଛ, ପନିପରିବା ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ବୁଧବାର ଭୋର ସମୟରେ ଭାଲୁ ଜମିକୁ ଯାଇଥିବାବେଳେ ହାତୀପଲ ଥିବା ଦେଖିବାକୁ ପାଇଥିଲେ। ଫଳରେ ଲୋକେ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି।
ଏ ନେଇ ଜିଲା ବନ ବିଭାଗ ଅଧିକାରୀ ଅମ୍ଲାନ ନାୟକଙ୍କୁ ପଚାରିବାରୁ ଗତ ୧୫ ଦିନ ହେବ ଚିକିଟି ଅଞ୍ଚଳରେ ଏହି ହାତୀ ପଲ ବୁଲୁଥିଲେ। ସେଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାଷୀମାନେ ଆବେଦନ କଲେ କ୍ଷତିପୂରଣ ମିଳିବ। ହାତୀପଲ ଟାମଣା ଓ କୁସୁମୀ ଅଞ୍ଚଳରେ ଘୁରି ବୁଲୁଛନ୍ତି। ଦିଗପହଣ୍ଡି ଓ ବଡ଼ଗଡ଼ ଅଞ୍ଚଳକୁ ଘଉଡ଼ାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଏଥିସହ ଅଞ୍ଚଳରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।