ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ହେଉ

ପୁରୀ ଅଫିସ, ୧୨।୯: ସିଂହଦ୍ୱାର ସମ୍ମୁଖରେ ଭଜନ ମଣ୍ଡପ ନିର୍ମାଣ ପାଇଁ ଓଡ଼ିଶା ଯୁବ ଚେତନା ସଙ୍ଗଠନ ଦାବି କରିଛି। ଏ ନେଇ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଙ୍ଗଠନର ରାଜ୍ୟ ସଭାପତି ବଦ୍ରି ମିଶ୍ର ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି। ସେହିପରି ବୁଧବାର ଜିଲାପାଳ ବଲଓ୍ବନ୍ତ ସିଂଙ୍କୁ ଏ ସଂକ୍ରାନ୍ତ ଦାବିପତ୍ର ଦିଆଯାଇଛି। ଏଥିରେ ଉଲ୍ଲେଖ ହୋଇଛି, ମଠ ଓ ମନ୍ଦିର ଭଙ୍ଗାଯିବା ପରେ ପୁରୀରେ ସଂସ୍କୃତିର ଅବକ୍ଷୟ ସମ୍ଭାବନା ଅଧିକ। ସିଂହଦ୍ୱାର ସମ୍ମୁଖ ଏମାର ମଠ ଚକଡ଼ାରେ ଭଜନ କୀର୍ତ୍ତନ ହୋଇଥାଏ। ଶ୍ରୀକ୍ଷେତ୍ର କଳା ପ୍ରକାଶିକା, ହନୁମାନ ଜୟନ୍ତୀ, ଦେବ ଦୀପାବଳି, ବସନ୍ତ ଉତ୍ସବ ଭଳି ଅନେକ ଅନୁଷ୍ଠାନ ଭଜନ ସଙ୍ଗୀତ ପରିବେଷଣ କରିଥାନ୍ତି। ହେଲେ ଏବେ ମାଟିରେ ମିଶିଯାଇଛି ଏହି ଚକଡ଼ା। ତେଣୁ ପ୍ରତ୍ୟହ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ ପାଇଁ ସିଂହଦ୍ୱାର ସମ୍ମୁଖ କୌଣସି ସ୍ଥାନରେ ଏକ ମୁକ୍ତ ଭଜନ ମଣ୍ଡପ ତିଆରି କରାଯାଉ। ଉତ୍କଳୀୟ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ବିକାଶ ତଥା ସୁରକ୍ଷା ପାଇଁ ଓଡ଼ିଶୀ, ଛାନ୍ଦ, ଚମ୍ପୂ, ପାରମ୍ପରିକ ସଙ୍ଗୀତ, ନୃତ୍ୟ, ବାଦ୍ୟ ଓ ଖେଳ ସଙ୍ଗୀତ, ଜାଗା ଆଖଡ଼ା ସଙ୍ଗୀତ ନିମନ୍ତେ ସରକାର ପୁରୀରେ ଏକ ଗବେଷଣା ଅନୁଷ୍ଠାନ ପ୍ରତିଷ୍ଠା କରନ୍ତୁ। ରଘୁନନ୍ଦନ ଲାଇବ୍ରେରି, ଭଜନମଣ୍ଡପ, ସଙ୍ଗୀତ, ନୃତ୍ୟ ଓ ଜଗନ୍ନାଥ ଚେତନା ପାଇଁ ରାଜ୍ୟର ଗବେଷକଙ୍କ ସମେତ ବୁଦ୍ଧିଜୀବୀ, ଖବରଦାତା, ସାହିତି୍ୟକ, ଗୀତିକାର, କଣ୍ଠଶିଳ୍ପୀ, ନୃତ୍ୟଗୁରୁମାନଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ମିଶ୍ର ଦାବି କରିଛନ୍ତି।