ସିଂହଦ୍ୱାରରେ ଜମିଲା ମେଳଣ

ପୁରୀ ଅଫିସ, ୧୦ା୧୦: ଶେଷ ହୋଇଛି ଦଶହରା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ମୃଣ୍ମୟୀ ଦୁର୍ଗାଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରୀତିନୀତିରେ ଗୋସାଣୀ ଭସାଣି ପର୍ବ ଅନୁଷ୍ଠିତ ହୋଇଛି। ବୁଧବାର ସନ୍ଧ୍ୟାରେ ପୁରୀ ସହରର ବିଭିନ୍ନ ମଣ୍ଡପରୁ ଗୋସାଣୀ, ନାଗା ବାଜା ବାଣ ଶୋଭାଯାତ୍ରାରେ ସାହି ପରିକ୍ରମା କରି ଶ୍ରୀମନ୍ଦିର ସିଂହଦ୍ୱାରରେ ଏକାଠି ହୋଇଥିଲେ। ସେଠାରେ ମେଳଣ ପରେ ଗୋସାଣୀ, ନାଗାମାନଙ୍କୁ ମଙ୍ଗଳାଘାଟ ନିକଟ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।
ଶାରଦୀୟ ପୂଜା ଅବସରରେ ବିଭିନ୍ନ ମଣ୍ଡପରେ ଗୋସାଣୀ, ନାଗା ପୂଜା ପାଇଥିଲେ। କାକୁଡ଼ି ଖାଇ, ଷ୍ଟେଶନ ବଜାର, ମାର୍କେଟ ଛକ, ବଡ଼ଶଙ୍ଖ ଓ ଦୁର୍ଗାବାଡ଼ିିରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଗା ମୂର୍ତ୍ତି ବିସର୍ଜିତ ହୋଇଥିଲେ। ପରମ୍ପରା ଅନୁଯାୟୀ, ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରେ ଗୋସାଣୀ ବିସର୍ଜନ ଅନୁଷ୍ଠିତ ହୋଇଥିଲା। ଗୋସାଣୀ ଓ ନାଗା ପଟୁଆରରେ ପୂଜାମଣ୍ଡପରୁ ସିଂହଦ୍ୱାର ସମ୍ମୁଖକୁ ଆସି ମେଳଣରେ ସାମିଲ ହୋଇଥିଲେ। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ବାରବାଟି ଗୋସାଣୀ, ଦୋଳମଣ୍ଡପ ସାହିର ଗୋସାଣୀ ଜହ୍ନିଖାଇ ଠାକୁରାଣୀ, ହରଚଣ୍ଡୀ ଗୋସାଣୀ, ବନଦୁର୍ଗା, ଗେଲବାଇ, ହଜୁରୀ ଗୋସାଣୀ, ଶୂନ୍ୟ ଗୋସାଣୀ, ବାସେଳିସାହିର ବନଦୁର୍ଗା, ଭୋଗଜାଗା ଗୋସାଣୀ, ଜହ୍ନିଖାଇ ପ୍ରମୁଖ ମେଳଣରେ ସାମିଲ ହୋଇ ଭସାଣିକୁ ଯାଇଥିଲେ। ସେହିପରି ପୁରୀ ସହରର ଅନ୍ୟତମ ଆକର୍ଷଣ ହେଉଛି ନାଗା ପରମ୍ପରା। ମେଳଣରେ ବାଲିସାହି, ହରଚଣ୍ଡୀ ସାହି, ପଶ୍ଚିମଦ୍ୱାର, ବଳଗଣ୍ଡି, ନରେନ୍ଦ୍ରକୋଣ ପ୍ରଭୃତି ସାହିର ନାଗା ମୂର୍ତ୍ତି ମଧ୍ୟ ସାମିଲ ହୋଇଥିଲେ। ମେଳଣର ସବୁଠୁ ଆକର୍ଷଣ ଥିଲା ସମ୍ପାତି ଚଢେଇ। ଦଶହରା ବେଳେ ଲୋକଙ୍କୁ ଏହି ମୂର୍ତ୍ତିମାନଙ୍କୁ ଗୋଟିଏ ସ୍ଥାନରେ ଦେଖିବାର ସୁଯୋଗ ଦେବା ଲକ୍ଷ୍ୟରେ ସିଂହଦ୍ୱାର ସମ୍ମୁଖରେ ଦେବୀ ସଭାର ଆୟୋଜନ କରାଯାଇଥାଏ।