ସାହିତ୍ୟର ସଂକଳ୍ପ

ଅରୁଣ କୁମାର ପଣ୍ଡା

ହଁ ,ଶହେବାର କହିବି, ସାହିତ୍ୟ ଗୋଟାଏ ସାଧନା-ସାଧନାର ଧାରା। ଏହି ଶବ୍ଦଟିକୁ କିଏ କେବେ ଉଦ୍ଭାବନ କରିଥିଲା କେଜାଣି, ସାହିତ୍ୟ କହିବା ବେଳକୁ ବୋଧ ହେଉଛି, ଏକ ସହିତ ସେ ଅନେକ, ଏକାଧିକ ଲୋକଙ୍କ ଏକତ୍ର ସମାବେଶ, ସ୍ବଭାବ, ପ୍ରଭାବ ଓ ବିଭାବର ଆଦାନପ୍ରଦାନ-ବିଜ୍ଞାନ, ପ୍ରଜ୍ଞାନ ଓ ଅଭିଜ୍ଞାନର ସ୍ବର ଏକତ୍ର। ‘ସାହିତ୍ୟ ସାଧନ ନୁହେଁ, ସାଧନା!’ଏହି ଅଭିବ୍ୟକ୍ତି ଥିଲା ଶତାୟୁ ସାହିତ୍ୟ ସାଧକ ସ୍ବର୍ଗତ ନିତ୍ୟାନନ୍ଦ ମହାପାତ୍ରଙ୍କର।
ସାହିତ୍ୟ କହିଲେ କଲମରୁ ନିର୍ଗତ କେତେଗୁଡିଏ ଗଦ୍ୟ, କବିତାର ସମାହାରକୁ ବୁଝାଏ ନାହିଁ। ସାହିତ୍ୟ ହୃଦୟକୁ ସ୍ପର୍ଶ କଲା ଭଳି ସମାଜକୁ ସଂସ୍କାରିତ କରିବା ପାଇଁ ତଥା ଚେତନାର ଊର୍ଦ୍ଧ୍ୱଗତି ପାଇଁ ହୃଦୟର ନିଚ୍ଛକ ଅଭିବ୍ୟକ୍ତି। ଏହି ସାଧନାଦୀପ୍ତ ଅଭିବ୍ୟକ୍ତିର ରସ ଆସ୍ବାଦନର ସୁଯୋଗ ଦେଇଥିଲେ ବ୍ୟାସ, ବାଲ୍ମୀକି, କାଳିଦାସ, ଭବଭୂତିଙ୍କ ପରି ମହାନ୍‌ ସାଧକଗଣ ଏବଂ ଆଧୁନିକ କାଳରେ ରୁଷୋ, ଭଲଟାଏର, ମାଜିନି, ଗାରିବାଲ୍‌ଡିଙ୍କ ପରି ଅନେକ ପାଶ୍ଚାତ୍ୟ ସାରସ୍ବତ ସାଧକ। ଆଧ୍ୟାତ୍ମିକ ସାହିତ୍ୟ କ୍ଷେତ୍ରରେ ସ୍ବାମୀ ବିବେକାନନ୍ଦ, ସ୍ବାମୀ ରାମତୀର୍ଥ, ଶ୍ରୀଅରବିନ୍ଦ, ଶ୍ରୀଶଙ୍କର ଦେବ ଏବଂ ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନଙ୍କ ପରି ଆହୁରି ଅନେକଙ୍କୁ ଆମେ ସାହିତ୍ୟ ସାଧକ ତାଲିକାର ଆଗ ଧାଡ଼ିରେ ରଖିପାରିବା।
ଓଡ଼ିଶାର ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କଲାଭଳି ସାହିତ୍ୟ ସାଧକଙ୍କ ଅଭାବ ମଧ୍ୟ ନାହିଁ। ସେମାନଙ୍କ ମଧ୍ୟରେ ଆଦିକବି ସାରଳା ଦାସ, ଅଚ୍ୟୁତ, ଅନନ୍ତ, ଜଗନ୍ନାଥ, ବଳରାମ, ଯଶୋବନ୍ତ ଓ ଭୀମ ଭୋଇଙ୍କ ପରି ପ୍ରାଚୀନ ଏବଂ ମଧ୍ୟଯୁଗୀୟ କବି, ଲେଖକଙ୍କଠାରୁ ଆରମ୍ଭ କରି ବିଂଶଶତାବ୍ଦୀର ମହାନ୍‌ ବହୁ ସ୍ରଷ୍ଟା ଅଛନ୍ତି।
କୁହାଯାଇପାରେ ଯେ ଭାରତୀୟ ସାହିତ୍ୟ ସହିତ ଓଡ଼ିଆ ସାହିତ୍ୟ ବିବିଧ ଭାବରେ ପ୍ରଗତିର ଶୀର୍ଷ ସ୍ପର୍ଶ କରିପାରିଛି। ଓଡିଆ ସାହିତ୍ୟର ଉତ୍ତରଣରେ ପୂର୍ବସୂରୀମାନଙ୍କ ସହିତ ବର୍ତ୍ତମାନ ପିଢ଼ିର ସାଧନାରତ ସାହିତ୍ୟ ପ୍ରତିଭାମାନଙ୍କର ଯଥେଷ୍ଟ ଯୋଗଦାନ ରହିଛି। ସାହିତ୍ୟର ଉତ୍ତରଣ ଅର୍ଥ ସମାଜର ଉତ୍ତରଣ। ପ୍ରଖ୍ୟାତ କବି, ସାଧକ, ଶିକ୍ଷାବିତ ଡକ୍ଟର ମାୟାଧର ମାନସିଂହଙ୍କ ମତରେ କବି ଓ ଲେଖକ, ସମାଜର ଦଶଜଣରୁ ଜଣେ ନୁହନ୍ତି, ସେ ଦଶଜଣର ମୁଖପାତ୍ର। ଖଡ୍‌ଗଧାରୀ ବୀର ଜନତାର କଲ୍ୟାଣ ପାଇଁ ଯୁଦ୍ଧଭୂମିରେ ମଥା ପାତିଦିଏ ଅକାତରେ। ଲେଖନୀଧାରୀ କବି ମଧ୍ୟ ଠିକ୍‌ ସେହିପରି ଦେଶ ଓ ଜାତିର ଆହ୍ବାନରେ କାରା ଓ ମୃତ୍ୟୁବରଣ କରେ। ରୁଷିଆ ଓ ଅନ୍ୟାନ୍ୟ ଅନେକ ଦେଶ ଯେଉଁଠି ଜନତା ବର୍ଷ ବର୍ଷ ଧରି ପ୍ରତିଷ୍ଠିତ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଯୁଦ୍ଧ କରି ଆସିଛି, ସେଠି ବହୁ କବି ଓ ଲେଖକ ଜାତୀୟ ଚେତନାର ମୁଖପାତ୍ର ଭାବରେ କଠୋର ଦୁଃଖ ବରଣ କରିଛନ୍ତି। ଦାନ୍ତେ ଏଥିପାଇଁ ତାଙ୍କ ପ୍ରିୟନଗରୀ ଫ୍ଲୋରେନ୍ସରୁ ନିର୍ବାସିତ ହୋଇଥିଲେ। ଦସ୍ତୋଭସ୍କି ଫାଶୀଖୁଣ୍ଟରେ ଝୁଲିବାକୁ ଯାଇଥିଲେ। ବରେଣ୍ୟ କବି ଓ ସାହିତ୍ୟ ସ୍ରଷ୍ଟାମାନଙ୍କର ଏହି ନିର୍ଯାତନାର କରୁଣ କାହାଣୀ ସମାଜର ଏହି ଗୋଷ୍ଠୀର ମର୍ଯ୍ୟାଦା ବଢାଇଦେଇଛି। ଆଧୁନିକ ପ୍ରତ୍ୟେକ ଲେଖକ ଓ କବି ଏହି ମର୍ଯ୍ୟାଦାକୁ ତାଙ୍କ ଚେତନାରେ ଚିର ଜାଗ୍ରତ କରି ରଖିବା ଉଚିତ।
ଲେଖକ, କବି ଏବଂ ସମଗ୍ର ସାହିତି୍ୟକ ଗୋଷ୍ଠୀଙ୍କଠାରୁ ଦେଶ ଓ ଜାତି ବହୁତ କିଛି ଆଶା କରେ। କେବଳ ଗପ, କବିତା ଲେଖିବା, ଆବିଳ ପ୍ରେମର ପରିସ୍ଫୁଟନ, ଦୁର୍ବୋଧ୍ୟ ତଥା ଦ୍ୱ୍ୟର୍ଥବୋଧକ ଶାବ୍ଦିକ ଅଳଙ୍କାରରେ ସୁଶୋଭିତ ରଚନା କେବେ ସାହିତ୍ୟର ଆନ୍ତରିକ ଚେତନାକୁ ପ୍ରକଟିତ କରି ନ ପାରେ। ଏକବିଂଶ ଶତାବ୍ଦୀର ସାହିତ୍ୟ ସତେ ଯେପରି ଲକ୍ଷ୍ୟହୀନ ହୋଇପଡିଛି। ସରସ୍ବତୀଙ୍କ ବରପୁତ୍ରମାନଙ୍କଠାରୁ ସମାଜ ଅନେକ କିଛି ଆଶାକରେ। ପ୍ରଗତିଶୀଳ ଅର୍ଥ ନୁହେଁ ମର୍ଯ୍ୟାଦାର ସବୁ ସୀମାକୁ ଲଙ୍ଘନ କରିବା। ଏହା ଜଣେ ଲେଖକ ସଦା ମନେରଖିବା ଆବଶ୍ୟକ।
ପ୍ରଖ୍ୟାତ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ମତରେ ତିନିପ୍ରକାର ଚେତନାରୁ ତିନି ପ୍ରକାରର ସାହିତ୍ୟ। ଜଣେ ମଣିଷ ଯେଉଁ ଭୂମିରେ ବିଚରଣ କରୁଥାଏ ତା’ର ଯାବତୀୟ ସର୍ଜନାତ୍ମକତା ସେହି ଭୂମିର ହୋଇ ରହିଥାଏ, ଜିଜ୍ଞାସା ଓ ସମୀକ୍ଷା ମଧ୍ୟ ସେହି ଭୂମିର ହୋଇ ରହିଥାଏ। ସାହିତ୍ୟର ଦୁଇଟି ପାର୍ଶ୍ୱ-ଗୋଟିଏ ସାହିତ୍ୟ-ଲେଖକର ପାର୍ଶ୍ୱ ଓ ଆରଟି ସାହିତ୍ୟ-ପାଠକର ପାର୍ଶ୍ୱ। ଯାବତୀୟ ସାହିତ୍ୟ ଲେଖିବାକୁ କାଳେ କାଳେ ଏକ ସର୍ଜନାତ୍ମକ ପ୍ରକ୍ରିୟା ରୂପେ ବୁଝାଯାଇ ଆସିଛି। ସାହିତ୍ୟର ଯଥାର୍ଥ ପାଠକକୁ ମଧ୍ୟ ସର୍ଜନାତ୍ମକ ହେବାକୁ ପଡିଥାଏ। ଯେମିତି ସବୁ ମଣିଷ ଲେଖକ ହୋଇପାରନ୍ତି ନାହିଁ, ସେମିତି ସବୁ ମଣିଷ ପାଠକ ମଧ୍ୟ ହୋଇପାରନ୍ତି ନାହିଁ। ଆପଣାକୁ ଦେବା ଲାଗି ରାଜି ହୋଇଗଲେ ସାରସ୍ବତ ସାଧନାରୁ କାର୍ପଣ୍ୟ ଦୂର ହୁଏ ଏବଂ ଲେଖକର ଲେଖନୀ ପ୍ରବହମାନ ହୁଏ। ପାଠକ ମଧ୍ୟ ସେହି ଅନୁରୂପ ନିଜକୁ ଉନ୍ମୁକ୍ତ କରିବା ଆବଶ୍ୟକ। ସାହିତ୍ୟର ସଂକଳ୍ପ କେବଳ ବର୍ତ୍ତମାନକୁ ନୁହେଁ ଭବିଷ୍ୟତକୁ ମଧ୍ୟ ଉଚ୍ଚତର ଚେତନା ଆଡକୁ ନେଇଯିବା। ସାହିତ୍ୟ ସର୍ବାଗ୍ରେ ଏହି ଲକ୍ଷ୍ୟରେ ଅନୁପ୍ରାଣିତ ହେଲେ ଏହାର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜ୍ୱଳ, ଏଥିରେ ସନ୍ଦେହ ନାହିଁ।
ମର୍କତନଗର, କଟକ, ମୋ-୯୪୩୭୨୭୦୬୦୫


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri