ସାରଥି ଆଶ୍ରମକୁ ଇଡି ନୋଟିସ

ଡେରାବିଶ, ୧୩ା୧୨ (ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ବାରିମୂଳ ସାରଥି ଆଶ୍ରମ ପରିସରରେ ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍‌) ପକ୍ଷରୁ ଶୁକ୍ରବାର ନୋଟିସ ଲଗାଯାଇଛି। ଜୁଲାଇ ୨୭ରେ ଏହି ଆଶ୍ରମ ସମ୍ମୁଖରେ ଏକ ନୋଟିସ ବୋର୍ଡ ଲଗାଯାଇଥିଲା। ଏଥିରେ ଦର୍ଶାଯାଇଥିଲା, ୨୦୧୭ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ସାରଥି ମାମଲା (ଓସି ନଂ- ୭୨୮/ ୧୭)ରେ ଜବତ ହୋଇଥିବା ୨୬ ପ୍ଲଟର ୩ ଏକର ୪୨ ଡିସିମିଲ ଜମି ଉପରେ ସର୍ବସାଧାରଣଙ୍କ ଯାତାୟାତକୁ ରୋକ ଲଗାଯାଇଛି। ଶୁକ୍ରବାର ଅପରାହ୍ନରେ ପୂର୍ବ ନୋଟିସ ନିକଟରେ ଅନ୍ୟ ଏକ ନୋଟିସ ଲଗାଯାଇ ଏଥିରେ ଗରାପୁର ମୌଜାର ଏକ ପ୍ଲଟକୁ ସାମିଲ କରାଯାଇଛି।
ଗରାପୁରରେ ଥିବା ଖାତା ନଂ ୬୪୦ ପ୍ଲଟ ନଂ ୭୮୨ର ଏହି ୪୫ ଡିସିମିଲ ଜମିକୁ କଟକ ପୌରାଞ୍ଚଳ ଲାଲବାଗର ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ମାଲିକାନାରେ ଥିବା ଦର୍ଶାଯାଇଛି।
ସୂଚନାଯୋଗ୍ୟ, ହାଇଦ୍ରାବାଦର ଏକ ହୋଟେଲରେ ରହଣିକୁ ନେଇ ୨୦୧୫ରେ ସାରଥି ବିବାଦୀୟ ହୋଇ ପଡିଥିଲେ। ଉକ୍ତ ବର୍ଷ ଅଗଷ୍ଟ ୮ ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ବେଳେ ଏହାର ତଦନ୍ତ ଦାୟିତ୍ୱ ଇଡିକୁ ଦିଆଯାଇଥିଲା।
ଏଥିସହ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବା ସାରଥିଙ୍କ ନଁ।ରେ ଅଭିଯୋଗ ହୋଇଥିଲା। ଏହାଛଡା ସଦର ଥାନା ଅନ୍ତର୍ଗତ ଆଶ୍ରମ ଅନ୍ତେବାସୀ ମା’ ଓ ଝିଅଙ୍କ ଟଙ୍କା ଏବଂ ଜମି ଠକେଇ କରିବା, ବିବାହ ପ୍ରତିଶ୍ରୁତି ଦେଇ ଅନୈତିକ ସମ୍ପର୍କ ରଖିବାକୁ ନେଇ ସାରଥି ଓ ତାଙ୍କ ସହଯୋଗୀ ଶରତ ପାତ୍ରଙ୍କ ନଁ।ରେ କେନ୍ଦ୍ରାପଡା ଏସ୍‌ଡିଜେଏମଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ ଅଭିଯୁକ୍ତ ଦୁଇଜଣ ଜେଲରୁ ଜାମିନରେ ମୁକୁଳି ସାରିଛନ୍ତି।