ସାମୁଦ୍ରିକ ମାଛ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ସମୁଦ୍ର ଉପକୂଳରେ ଟ୍ରଲର ଦ୍ବାରା ମାଛ ବାସସ୍ଥାନ ପ୍ରଭାବିତ ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମତ୍ସ୍ୟସମ୍ପଦକୁ ନେଇ ବ୍ୟାବସାୟିକ ସମ୍ଭାବନା, ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ଓଡ଼ିଶାରେ ଦୀର୍ଘ ସମୁଦ୍ର ଉପକୂଳ ଥିବାରୁ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନିର ପର୍ଯ୍ୟାପ୍ତ ସୁଯୋଗ ରହିଛି। ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାର ସୁଯୋଗ ନେଇ ମତ୍ସ୍ୟଜୀବୀମାନେ ରାଜ୍ୟକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ କରିବା ପାଇଁ ମନ୍ତ୍ରୀ ପ୍ରକାଶ କରିଥିଲେ। ବୈଠକରେ ଭିତରକନିକା ଅଭୟାରଣ୍ୟରେ ଅଲିଭ୍‌ ରିଡେଲ୍‌ କଇଁଛ ଅଣ୍ଡାଦେବା ପରିପ୍ରେକ୍ଷୀରେ ସମୁଦ୍ର ମାଛଧରା ନିଷିଦ୍ଧ ସମୟସୀମାକୁ ହ୍ରାସ କରାଯିବା, ବର୍ତ୍ତମାନର ସମୁଦ୍ର ଭିତରକୁ ନିଷିଦ୍ଧ କରାଯାଇଥିବା ସୀମାକୁ କମ କରିବା, ସମୁଦ୍ରରେ ଭିତରକନିକା ଅଭୟାରଣ୍ୟର ଜଳସୀମାକୁ ଚିହ୍ନିତ କରିବା, ଯଦ୍ବାରା ମତ୍ସ୍ୟଜୀବୀମାନେ ଅଭୟାରଣ୍ୟ ସୀମା ମଧ୍ୟକୁ ପ୍ରବେଶ କରିବେ ନାହିଁ ସେ ଉପରେ ବିଚାର ବିମର୍ଶ କରାଯାଇଥିଲା। ମାଛଧରା ବନ୍ଦରର ନଦୀ ମୁହାଣଗୁଡ଼ିକ କ୍ରମଶଃ ପୋତି ହୋଇଯାଉଥିବାରୁ ଟ୍ରଲରଗୁଡ଼ିକ ଯିବା ଆସିବାରେ ବାଧା ଉପୁଜୁଥିବା ଦୃଷ୍ଟିରୁ ନଦୀ ମୁହାଣଗୁଡ଼ିକ ଖୋଳିବା ଆଦି ଉପରେ ଆଲୋଚନା ହୋଇଥିଲା। ଏହାସହ ଡିଜେଲ୍‌ରେ ସବ୍‌ସିଡ଼ି ଦେବା, ମାଛଧରା ଡଙ୍ଗାର ଇଞ୍ଜିନ୍‌ ଓ ଉପକରଣ ଉପରେ ଟିକସ ରିହାତି ନିମନ୍ତେ ଫେଡେରେଶନ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କ ସହିତ ବୈଠକ କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।