ସାମାଜିକ ବୈଷମ୍ୟ, ଅର୍ଥନୈତିକ ଅସ୍ଥିରତା ଆଣିବ କେନ୍ଦ୍ର ବଜେଟ

ଭୁବନେଶ୍ୱର,୧୮।୨(ବ୍ୟୁରେ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ଉପସ୍ଥାପନ କରିଥିବା ୨୦୨୦-୨୧ ବଜେଟ ସମ୍ପୂର୍ଣ୍ଣ ଦିଶାହୀନ। ସାମାଜିକ ବୈଷମ୍ୟ ବୃଦ୍ଧି କରିବା ସହ ଦେଶର ଆର୍ଥିକ ଅଧୋଗତି ଆଣିବ ବୋଲି ସିଟିଜେନ୍ସ ଫୋରମର ମାସିକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ, ହୋଇଥିବା ବଜେଟ ଅନୁସାରେ ଅର୍ଥ କେଉଁଠୁ ଆସିବ ସରକାର କିଛି କହିନାହାନ୍ତି। ୨୦ ଭାଗ ଋଣ କରି ୧୮ ଭାଗ ଋଣର ସୁଧ ଶୁଝିବା କଥା କୁହାଯାଇଛି। ୧୦ଭାଗ ଧନୀ ଲୋକଙ୍କ ହାତରେ ୯୦ ଭାଗ ସମ୍ପଦ ରହିଛି। ଶିଳ୍ପପତିଙ୍କୁ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା କର ଛାଡ଼ କରାଯାଇଥିବାବେଳେ ବଜେଟରେ ସମସ୍ତ ସାମାଜିକ ସୁରକ୍ଷା କ୍ଷେତ୍ରରେ ଖର୍ଚ୍ଚ ଅଟକଳ କମ୍‌ ରହିଛି। ଦର ବୃଦ୍ଧି ଯୋଗୁ ବଜାର ସମ୍ପୂର୍ଣ୍ଣ ମାନ୍ଦା ରହିଛି। ୪.୮ଭାଗ ଅଭିବୃଦ୍ଧି ଆଦୌ ଉତ୍ସାହଜନକ ନୁହେଁ। ଶିଳ୍ପ ଉପତ୍ାଦନ କମିଛି ଓ ମାତ୍ର ୧ ଭାଗ ପୁଞ୍ଜି ବିନିଯୋଗ ବଢିଛି। ଗତବର୍ଷ ୪.୫ ଲକ୍ଷ ଶ୍ରମିକ ଛଟେଇ ହୋଇଛି। ବେକାରି ବଢିଛି, ବିମୁଦ୍ରାୟନ ଓ ଜିଏସ୍‌ଟି ଅପରିଣାମ ସଦୃଶ ହୋଇଛି। ଗଦା ଗଦା କଳା ଟଙ୍କା ବେପାରୀମାନଙ୍କ ନିକଟରେ ଠୁଳ ହେବାରେ ଲାଗିଛି ବୋଲି କାନୁନ୍‌ଗୋ କହିଛନ୍ତି। ରବିବାର ଖାରବେଳ ନଗରସ୍ଥିତ ଶ୍ରମିକ ଭବନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିିଶିଷ୍ଟ କୃଷି ଅର୍ଥନୀତିବିତ୍‌ ତଥା ଓୟୁଏଟିର ପୂର୍ବତନ ଡିନ୍‌ ଡ. ଦିବାକର ନାୟକ, ବିଶିଷ୍ଟ ସ୍ତମ୍ଭକାର ତଥା ଅର୍ଥନୀତି ଆଲୋଚକ ସରଳ କୁମାର ଦାସ, ସମାଜବିଜ୍ଞାନୀ ସନ୍ତୋଷ ପାତ୍ର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସଂସ୍ଥାର ସଭାପତି ଡ. ମଧୁସୂଦନ ମିଶ୍ର ସଭାପତିତ୍ୱ ଓ ଆବାହକ ପ୍ରଦୀପ୍ତ ନାୟକ ପରିଚାଳନା କରିଥିଲେ।