ସାମାଜିକ ଦୂରତ୍ୱ, ମାସ୍କକୁ ପୋଲିସର ଗୁରୁତ୍ୱ

କେନ୍ଦୁଝର, ୨୯ା୫ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲଢେଇକୁ କଠୋର କରିବା ଲାଗି ଲକ୍‌ ଡାଉନର ପ୍ରଥମ ପର୍ଯ୍ୟାୟରେ ପୋଲିସ ହାତରେ ଧରିଥିଲା ଲାଠି। ଠିକ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଲକ୍‌ଡାଉନ୍‌କୁ ସଫଳ କରିଥିଲା। ତେବେ ଲକ୍‌ଡାଉନ ପର୍ଯ୍ୟାୟକ୍ରମେ କୋହଳ ହୋଇ ଚାଲିଥିବାରୁ ଜନସାଧାରଣ ଏକ ପ୍ରକାର ବେଲଗାମ୍‌ ହୋଇପଡିଛନ୍ତି। ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତାକୁ ଓ ମୁହଁରେ ମାସ୍କକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଲୋକେ ଏହାକୁ ସର୍ବସାଧାରଣ ସ୍ଥାନରେ ପାଳନ କରୁ ନ ଥିବା ଦେଖିବାକୁ ମିଳିଛି। ଏଣୁ ଏଭଳି ଅମାନିଆଙ୍କ ବିରୋଧରେ ସଦର ଥାନା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଧରପଗଡ। ପଳାଶପଙ୍ଗା ବିଟ ହାଉସ ଅଧିକାରୀ ଶିବ ଚରଣ ଆଇଚ ସଦଳବଳେ ସ୍ପଞ୍ଜ ଛକ, ପରିବା ହାଟ ଓ ମାର୍କେଟ ଓ ବଜାର ଅଞ୍ଚଳରେ ସାମଜିକ ଦୂରତ୍ୱ ବଜାୟୀ ରଖୁ ନ ଥିବା ଏବଂ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କ ଉପରେ ଚଢ଼ାଉ କରିଛନ୍ତି। ବୁଧବାର ଏହି ଛକରୁ ୨୭ଜଣଙ୍କ ଠାରୁ ୫୪୦୦ ଟଙ୍କା ଓ ଗୁରୁବାର ୨୩ଜଣଙ୍କଠାରୁ ୪୬୦୦ ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ବିଟ ହାଉସ ଅଧିକାରୀ କହିଛନ୍ତି। ପ୍ରତିଦିନ ଏହି ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ପାଇଁ ଏକ ପ୍ରକାର ଟାର୍ଗେଟ ଦିଆଯାଇଛି ବୋଲି ସେ କହିଛନ୍ତି।