ସାମାଜିକ ଦୂରତ୍ୱ ନ ରଖିଲେ କାର୍ଯ୍ୟାନୁଷ୍ଠାନ: ସିଲ୍‌ ହେବ ବ୍ୟବସାୟ ପ୍ରତିଷ୍ଠାନ

ନୟାଗଡ଼ ଅଫିସ,୬ା୪: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଉପରେ ଲଗାମ ଦେବା ଉଦ୍ଦେଶ୍ୟରେ ସରକାର ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କରିଛନ୍ତି। ଦୋକାନ ଆଗରେ ଗ୍ରାହକମାନେ ଅନୂ୍ୟନ ୧ମିଟର ଦୂରତା ବଜାୟ ନ ରଖିଲେ କାର୍ଯ୍ୟାନୁଷ୍ଠାନ ହେବ। ଏପରି କି ଏଥିରେ ବ୍ୟତିକ୍ରମ ହେଲେ ବ୍ୟବସାୟ ପ୍ରତିଷ୍ଠାନ ସିଲ୍‌ କରିଦିଆଯିବ। ବଜାର ଓ ହାଟରେ ମଧ୍ୟ ସମାନ ନିୟମ ଲାଗୁ ହେବ । ଏ ନେଇ ବିଜ୍ଞପ୍ତି ଜାରି ହୋଇଥିବା ନୟାଗଡ଼ ଜିଲାପାଳ ପୋମା ଟୁଡୁ ଓ ଏସ୍‌ପି ପ୍ରତ୍ୟୁଷ ଦିବାକର ମିଳିତ ଭାବେ ସୋମବାର ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି। ଅବାଧ୍ୟ ହେଲେ ଅଥବା ବିଶୃଙ୍ଖଳା ସୃଷ୍ଟି କଲେ ଏପିଡେମିକ୍‌ ଡିଜିଜ ଆକ୍ଟ ୧୮୯୭ ଓ ଓଡିଶା କୋଭିଡ୍‌ ୧୯ ରେଗୁଲେଶନ ୨୦୨୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାର ସମସ୍ତ ବ୍ଲକ, ନୟାଗଡ଼ ମ୍ୟୁନିସିପାଲିଟି ସମେତ ବିଭିନ୍ନ ଏନ୍‌ଏସି ଅଧୀନ ବ୍ୟବସାୟ ପ୍ରତିଷ୍ଠାନ, ଦେକାନୀ, ଉଠାଦୋକାନୀ, ବିଭିନ୍ନ ମାର୍କେଟର କର୍ମକର୍ତ୍ତା, ବଣିକ ସଂଘ, ଚାମ୍ବର ଅଫ୍‌ କମର୍ସକୁ ଜିଲାପାଳ ଓ ଏସ୍‌ପି ଅବଗତ କରାଇଛନ୍ତି।