ସାମାଜିକ ଦୂରତ୍ୱ ଉଲ୍ଲଂଘନ: ପୋଲିସ ଅସହାୟ

ପୁରୀ ଅଫିସ,୨୩ା୫: ମହାମାରୀ କରୋନା ହୁ ହୁ ହୋଇ ମାଡ଼ୁଛି। ଏହାକୁ କିପରି ମୁକାବିଲା କରାଯାଇପାରିବ ସେଥିଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଛି। ଲକ୍‌ଡାଉନ ଗାଇଡ୍‌ଲାଇନ ଅନୁସାରେ କୌଣସି ଗୋଟିଏ ଜାଗାରେ ଲୋକେ ସମାଗମ ହେବେ ନାହିଁ, ସାମାଜିକ ଦୂରତା ରକ୍ଷା ଦିଗରେ ସମସ୍ତେ ଗୁରୁତ୍ୱ ଦେବେ। ହେଲେ ଏହି ନିୟମକୁ ଖୋଲାଖୋଲି ଭାବେ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଉଲ୍ଲଂଘନ କରାଯାଇଛି। ଶୁକ୍ରବାର ଅପରାହ୍ନରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ମହାପ୍ରସାଦ ନେବା ଲାଗି ଏମିତି ଗହଳି ହୋଇଥିଲା।
ସାବିତ୍ରୀ ବ୍ରତ ଅବସରରେ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ। ବେଢା ପରିସରସ୍ଥ ସାବିତ୍ରୀ ମନ୍ଦିରରେ ସକାଳୁ ସଧବାମାନେ ଧାଡ଼ି ଲଗାଇ ପୂଜାର୍ଚ୍ଚନା କରିଥାନ୍ତି। ପରେ ଆନନ୍ଦବଜାରରେ ମହାପ୍ରସାଦ ପାଇ ଫେରିଥାନ୍ତି। ଏହିଦିନ ପୁରୀ ସହରର ପ୍ରାୟ ଅଧିକାଂଶ ପରିବାର ମହାପ୍ରସାଦ ସେବନ କରିଥାନ୍ତି। କିନ୍ତୁ ଏଥର କରୋନା ପାଇଁ ଏଥିରେ ବ୍ୟତିକ୍ରମ ଘଟିଛି। ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ଭକ୍ତ ଯାଉନାହାନ୍ତି। ତେଣୁ ଶୁକ୍ରବାର ମହାପ୍ରସାଦ ନେବା ପାଇଁ ଶହ ଶହ ଭକ୍ତ ଉତ୍ତର ଦ୍ୱାରରେ ଭିଡ଼ ଲଗାଇଥିଲେ। ପୂର୍ବରୁ ଅର୍ଡର ପାଇଥିବା ଅନୁସାରେ ସୁଆର ସେବକମାନେ ସେମାନଙ୍କୁ ଆଣି ଉତ୍ତର ଦ୍ୱାରରେ ମହାପ୍ରସାଦ ଦେଉଥିଲେ। ସେହିପରି କେତେଜଣ ବୋଝିଆ ବି ଶ୍ରଦ୍ଧାଳୁଙ୍କ କହିବା ମୁତାବକ ଆନନ୍ଦ ବଜାରରୁ ମହାପ୍ରସାଦ ଆଣି ଯୋଗାଇ ଦେଉଥିଲେ। ଏଥିପାଇଁ ଗହଳି ଏମିତି ହୋଇଥିଲା ଯେ, ଅପରାହ୍ନ ୧ଟାରୁ ପ୍ରାୟ ଦୁଇଘଣ୍ଟା ଧରି ଉତ୍ତର ଦ୍ୱାର ସମ୍ମୁଖ ରାସ୍ତା ଦେଇ ଯିବା ଅସମ୍ଭବ ହୋଇପଡ଼ିଥିଲା। ତେବେ ସବୁଠୁ ଉଦ୍‌ବେଗର ବିଷୟ ଯେ, ପୋଲିସ ଆଗରେ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିଲା। ପୋଲିସ ସତେ ଯେମିତି ହାତ ଟେକିଦେଇଥିଲା ବୋଲି ଚର୍ଚ୍ଚା ହୋଇଥିଲା।