ସାପ କାମୁଡ଼ାରେ ୬ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାପ କାମୁଡ଼ାରେ ମୋଟ ୬ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳରେ ୨ ଏବଂ କେନ୍ଦୁଝର ଜିଲା ତେଲକୋଇରେ ଜଣଙ୍କର ମୃତ୍ୟୁ ଘଟିଛି।
ଗଞ୍ଜାମର ଜିଲା କଦଳା ବି.ନୂଆପଲ୍ଲୀ ଗ୍ରାମରେ ୪ ବର୍ଷର ପୁଅ ସହ ମା’ଙ୍କର ମୃତ୍ୟୁ ଘଟିଛି। ସେହିପରି କବିସୂର୍ଯ୍ୟନଗରରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ସେହିପରି କେନ୍ଦୁଝର ଜିଲା ତେଲକୋଇରେ ଜଣେ ମହିଳା ସର୍ପାଘାତରେ ମୃତ୍ୟୁବରଣ କରିଛନ୍ତି। ମୃତା ମହିଳା ହେଲେ ଗୁରୁମ ଗ୍ରାମର ବିଦ୍ୟାଧର ପାତ୍ରଙ୍କ ସ୍ତ୍ରୀ ଧରିତ୍ରୀ ପାତ୍ର। ସେ ଘରେ ମଶାରୀ ଟାଙ୍ଗି ଶୋଇଥିବାବେଳେ ତାଙ୍କୁ ସାପ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକତ୍ସାଧିକ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଅନୁଗୋଳ ସହର ବେନ୍ତପୁର ଅଞ୍ଚଳରେ ଦୁଇ ଭଉଣୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବେନ୍ତପୁର ଅଞ୍ଚଳର ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ୍‌ (୧୩) ଓ ସୁଜାତା (୧୧)। ଦୁହେଁ ଘରେ ଶୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। କଟକ ନେବା ରାସ୍ତାରେ ସେମାନଙ୍କର ମୃତ୍ୟୁ ଘଟିଛି।