ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ସାକ୍ଷୀଗୋପାଳ, ୨୨।୫(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ବଡ଼ବିଲ ସାହିର କୁମୁଦୀନି ମଲ୍ଲିକ(୪୦)ଙ୍କର ବିଷଧର ସାପ କାମୁଡାରେ ମୃତ୍ୟୁ ଘଟିଛି। ବାତ୍ୟାରେ ଭାଙ୍ଗି ଯାଇଥିବା ଘରେ ମଙ୍ଗଳବାର ସେ ବସି ଭାତ ଖାଉଥିବା ବେଳେ ଘର ଭିତରକୁ ଗୋଟିଏ ବେଙ୍ଗ ପସି ଆସିଥିଲା। ବେଙ୍ଗ ଖାଇବାକୁ ଗୋଟିଏ ବିଷଧର ନାଗସାପ ଘର ଭିତରେ ପସି ଯାଇଥିବା ଦେଖି ମହିଳା ଜଣଙ୍କ ଭୟରେ ବାହରକୁ ପଳାଇବାବେଳେ ତାଙ୍କୁ ସାପଟି କାମଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ସାକ୍ଷୀଗୋପାଳ ସରକାରୀ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସାପ କାମୁଡା ଇଞ୍ଜେକସନ ଏଠାରେ ନ ଥିବା ଏବଂ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଡାକ୍ତର ତାଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେ ପୁରୀ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁରୀ ମେଡ଼ିକାଲରେ ବୁଧବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଚିକିତ୍ସା ଅବହେଳାରୁ କୁମୁଦୀନିଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସତ୍ୟବାଦୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।