ସାନ ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ: ପୋଲିସର ମୃଦୁ ଲାଠିଚାଳନା, ୭୦ରୁ ଉର୍ଦ୍ଧ୍ୱ ଅଟକ

ଗଞ୍ଜାମ,୨୩ା୬(ଡି.ଏନ.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ଗ୍ରାମରେ ଓଡିଆର୍‌ପି ଯୋଜନାରେ ମିଳୁଥିବା ଗୃହକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଛକାପଞ୍ଝା ଲାଗି ରହିଥିଲା। ଗତ ଦୁଇ ଦିନ ତଳେ ଗ୍ରାମର କୋଠ ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା। ମଙ୍ଗଳବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିତ୍ରେ ଗୋଟିଏ ଗୋଷ୍ଠୀର ୮ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନେ ହେଲେ ଏମ. ଲକ୍ଷ୍ମଣ ପାତ୍ର, ବି. ମୋଚିରାମ ପାତ୍ର, ଜେ. ଚେନୟା ପାତ୍ର, ଏନ. ଜଗନ୍ନାଥ ପାତ୍ର, ଏନ.ଶାକଲେଡ ପାତ୍ର, ଏନ. ଦିଲୁ ପାତ୍ର, ଆର. ପାପାମା, ଆର. ଜଗନ୍ନାଥ ପ୍ରମୁଖ। ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ତହସିଲଦାର ଅବନୀ କୁମାର ସାହୁ, ଗଞ୍ଜାମ ଥାନା ଆଇଆଇସି ଦିଲୀପ କୁମାର ସାହୁ ଗାଁକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ଠେଙ୍ଗାବାଡ଼ି, ଟେକାପଥର ଫୋପଡ଼ା ଫୋପାଡ଼ିି ହୋଇଥିଲେ। ଯାହାଫଳରେ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ଥାନା ଆଇଆଇସି ମାଡ ମାଡ଼ିବାରୁ ମୁଣ୍ଡରେ ଆଘାତ ଲାଗିଥିବା ଶାକଲେଡ ପାତ୍ର ଗଣମାଧ୍ୟମକୁ କହିଛନ୍ତି।

ଓଡିଆର୍‌ପିରେ ଘରକୁ ନେଇ ଗାଁରେ ଲାଗିଥିବା ବିବାଦ ସମ୍ପର୍କରେ ପୂର୍ବରୁ ବାରମ୍ବାର ରମ୍ଭା ଥାନାରେ ଅଭିଯୋଗ ହୋଇଥିଲା। ଗତ ମେ ୧୯ରେ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଉଭୟ ଗୋଷ୍ଠୀକୁ ବୁଝାଯାଇଥିଲା। ବୁଧବାର ପୁଣି ଏକ ବୈଠକ ହେବାର ଥିଲେ ମଧ୍ୟ କୌଣସି କାରଣରୁ ତାହାକୁ ବନ୍ଦ କରାଯାଇଥିଲା। ମଙ୍ଗଳବାର ସକାଳେ ଗ୍ରାମ ସଭାପତି ଶାକଲେଡ ଓ ଅନ୍ୟମାନେ କୂଅ ସଫା କରୁଥିବା ବେଳେ ଅନ୍ୟ ଗୋଷ୍ଠୀର ପ୍ରାୟ ୩୦ରୁ ଉର୍ଦ୍ଧ ବ୍ୟକ୍ତି ଠେଙ୍ଗା ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଅଟକ ରଖିଛି।