ସାଧାରଣରେ ପରିଣତ ହେଲାଣି କରୋନା କଟକଣା ଉଲ୍ଲଂଘନ: ରାଶନ ବଣ୍ଟନ ସମୟରେ ରହୁନି ସାମାଜିକ ଦୂରତ୍ୱ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ବରଗଡ଼ ଅଫିସ୍‌,୧୦।୪: କରୋନା(କୋଭିଡ୍‌-୧୯) ଭୂତାଣୁକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ପରିବା ବଜାର, ତେଜରାତି, ମାଛ, ମାଂସ ଦୋକାନରେ ଏହା ସାଧାରଣରେ ପରିଣତ ହୋଇଥିବାବେଳେ ରାଶନ ବଣ୍ଟନ କେନ୍ଦ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଶୁକ୍ରବାର ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼-୧୩ସ୍ଥିତ ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ରାଶନ ବଣ୍ଟନ ସମୟରେ ତାହା ପରିଲକ୍ଷିତ ହୋଇଥିଲା। ଲୋକେ ଧାଡ଼ି ବାନ୍ଧି ରହିଥିଲେ ହେଁ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିବା ଦେଖିବାକୁ ମିଳିଛି । ତେବେ କେବଳ ଏହି ରାଶନ ବଣ୍ଟନ କେନ୍ଦ୍ର ନୁହେଁ, ଜିଲାର ଅନେକ ସ୍ଥାନରେ ଏଭଳି ସାମାଜିକ ଦୂରତାକୁ ଖୋଲାଖୋଲି ଉଲ୍ଲଂଘନ କରି ରାଶନ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଥିବାବେଳେ ଏକକାଳୀନ ବଦଳରେ ପର୍ଯ୍ୟାୟକ୍ରମେ ଏକ କେନ୍ଦ୍ରରେ ହିତାଧିକାରୀଙ୍କୁ ତାହା ବିତରଣ କରାଗଲେ ବଣ୍ଟନ ସମୟରେ ସାମାଜିକ ଦୂରତା ରହି ପାରିବ ବୋଲି ମତପ୍ରକାଶ ପାଇଛି।