ସାଆନ୍ତରାପୁର(କ) ସରପଞ୍ଚ ପଦବୀ ଉପନିର୍ବାଚନ: ୮୬% ମତଦାନ, ଆଜି ଫଳାଫଳ

ଛେଣ୍ଡିପଦା/ବଅଁରପାଳ, ୨୮।୧୧(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ସାଆନ୍ତରାପୁର(କ) ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମତଦାନ ପାଇଁ ୧୩ଟି ବୁଥ କରାଯାଇଥିଲା। ୩୬୦୫ ଭୋଟରଙ୍କ ମଧ୍ୟରୁ ୩୧୧୫ ଜଣ ମତଦାନ ସାବ୍ୟସ୍ତ କରିଥିଲେ। ଭୋଟ ହାର ୮୬.୪୧% ରହିଛି। ଗୁରୁବାର ପୂର୍ବାହ୍ନ ୧୦ଟାରେ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ବ୍ଲକ ନିର୍ବାଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ସମ୍ବେଦନଶୀଳ ବୁଥ୍‌ରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମତଦାନ ଶେଷ ପରେ ଭୋଟ ବାକ୍ସକୁ ସିଲ୍‌ କରାଯାଇ ବ୍ଲକ ଅଫିସରେ କରାଯାଇଥିବା ଷ୍ଟ୍ରଙ୍ଗ୍‌ରୁମରେ ରଖାଯାଇଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଆବଶ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ୨୦୧୭ ପଞ୍ଚାୟତ ନିର୍ବାଚନରେ ବନିତା ଦେହୁରୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଗତ ବର୍ଷ ତାଙ୍କର ପରଲୋକ ହୋଇଯାଇଥିଲା। ଫଳରେ ଏହି ପଦବୀ ପୂରଣ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ପଦବୀରେ ସଙ୍ଗୀତା ରାଣୀ ସାହୁ ଏବଂ ରେଣୁକା ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।