‘ସହାୟତା ପାଇଁ ସର୍ବଦା ପ୍ରସ୍ତୁତ କିନ୍ନର’

ଢେଙ୍କାନାଳ ଅଫିସ, ୧୧।୫: କିନ୍ନର ସମାଜ ସହାୟତା କରିବାକୁ ସର୍ବଦା ପ୍ରସ୍ତୁତ। ସୁଯୋଗ ମିଳିଲେ ପ୍ରଶାସନକୁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ଢେଙ୍କାନାଳ ପୌରାଞ୍ଚଳର ବନମାଳିପ୍ରସାଦସ୍ଥିତ ହିମାଳୟ ବସ୍ତିରେ ରହୁଥିବା କିନ୍ନର ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଜିଲା ରେଡ୍‌କ୍ରସ୍‌ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ ବସ୍ତିରେ ନିଆରା ଢଙ୍ଗରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳନ କରାଯାଇଥିଲା। ଏହି ଉପଲକ୍ଷେ କିନ୍ନରଙ୍କୁ କରୋନାର ଭୟାବହତା, ସଂକ୍ରମଣ ରୋକିବାର ଉପାୟ, ସାମାଜିକ ଦୂରତ୍ୱ ଅବଲମ୍ବନ, ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା ଆଦି ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା। ପ୍ରତି କିନ୍ନରଙ୍କୁ ଡିଗ୍ନିଟି କିଟ୍‌ ପ୍ରଦାନ କରାଯାଇଥିଲା। ଉକ୍ତ କିଟ୍‌ରେ ଲୁଗା, ପ୍ୟାଣ୍ଟ, ଗାମୁଛା, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ରହିଥିଲା। ଏହି ଅବସରରେ ବସ୍ତିର ଛବି କିନ୍ନର କହିଲେ, ସୁଯୋଗ ମିଳିଲେ ଜନସାଧାରଣଙ୍କ ସେବା କରିବାକୁ କିନ୍ନର ସମାଜ ଆଗେଇ ଆସିବ। ପ୍ରାରମ୍ଭରେ ଛବି କିନ୍ନର ଏବଂ ଜିଲା ରେଡ୍‌କ୍ରସ୍‌ ସୋସାଇଟି ଉପାଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ପାଣି କେକ୍‌ କାଟିଥିଲେ। ରାଜକିଶୋର ବେହେରା ରେଡ୍‌କ୍ରସ୍‌ର ଲକ୍ଷ୍ୟ, କାର୍ଯ୍ୟକ୍ରମ, ଭାରତୀୟ ରେଡ୍‌କ୍ରସ୍‌ର ଜନ୍ମ ବୃତ୍ତାନ୍ତ ଏବଂ ରେଡ୍‌କ୍ରସ୍‌ର ପ୍ରତିଷ୍ଠାତା ଜନ୍‌ ହେନେରୀ ଡୁନାଣ୍ଟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅକ୍ଷୟ ଜେନା, ନାରାୟଣ ପୋଦ୍ଦାର, ଦିଲୀପ ସାହାଣୀ, ରାମେଶ୍ୱର ମାଇତି, ସୌମ୍ୟବ୍ରତ ସାହୁ, ଶିବ ପ୍ରସାଦ ପଣ୍ଡା, ରଶ୍ମିତା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।