ସହାୟତା ଦେଲା ଗଞ୍ଜାମ ଜ଼ିଲା ପ୍ରଶାସନ: ପୁଅଙ୍କୁ କଟକ ନେଇ ଚିକିତ୍ସା କରାଇଲେ ମା’, ଜଣାଇଲେ କୃତଜ୍ଞତା

ଛତ୍ରପୁର, ୨୪।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଗଙ୍ଗାପୁର-୧ ର ଜଣେ ଅସହାୟ ମହିଳା ନମିତା କରଣଙ୍କ ୧୦ ବର୍ଷର ପୁଅ ଏକ ଗୁରୁତର ରୋଗରେ ପୀଡିତ ଅଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲରେ ଆବଶ୍ୟକ ଚିକିତ୍ସା ସୁବିଧା ନ ଥିବାରୁ ପ୍ରତି ମାସରେ ପୁଅଙ୍କୁ କଟକ ବଡ଼ ମେଡିକାଲକୁ ନେଇ ତାଙ୍କର ଚିକିତ୍ସା କରାଇବାକୁ ପଡିଥାଏ। ତେବେ ଏବେ ସମ୍ପ୍ରତି ଲକ୍‌ଡାଉନ୍‌ ସ୍ଥିତି ଯୋଗୁ ନମିତା ପୁଅକୁ ନେଇ କଟକ ଯାଇପାରୁ ନ ଥିଲେ। ଏପରିକି ଅନୁମତି ମିଳିଥିଲେ ମଧ୍ୟ ଗାଡି ଭଡ଼ା କରି କଟକ ଯିବା ତାଙ୍କ ପକ୍ଷେ ସମ୍ଭବପର ନ ଥିଲା। ତାଙ୍କ ଗାଁର ନିରଞ୍ଜନ ପ୍ରଧାନଙ୍କ ସହାୟତାରେ ମହିଳା ଜଣଙ୍କ ଛତ୍ରପୁର ଆସି ଜ଼ିଲାପାଳଙ୍କୁ ଭେଟିଥିଲେ। ପରେ ଜ଼ିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଉପଜ଼ିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରିଥିଲେ। ଏହି ଟଙ୍କାରେ ଆମ୍ବୁଲାନ୍ସ ଭଡ଼ା କରି ମହିଳାଜଣଙ୍କ ପୁଅକୁ କଟକ ନେଇ ଚିକିତ୍ସା କରାଇ ଫେରିଛନ୍ତି। ଏନେଇ ଗଞ୍ଜାମ ଜ଼ିଲା ପ୍ରଶାସନକୁ ନମିତା କୃତଜ୍ଞତା ଜଣାଇଛନ୍ତି।