Categories: ଗଞ୍ଜାମ

ସହର ସାରା ଅଳିଆ ଭର୍ତ୍ତି, ବର୍ଷାରେ ସ୍ଥିତି ଅସମ୍ଭାଳ- ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଚିନ୍ତା ନାହିଁ

ଭଞ୍ଜନଗର,୩।୬(ଡି.ଏନ.ଏ.)-ଭଞ୍ଜନଗର ସହରରେ ଗତ ୪ ମାସ ହେଲା ପରିମଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ସାରା କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିରହିଛି। ବିପର୍ଯ୍ୟସ୍ତ ପରିମଳ ସୁଧାରିବା ପାଇଁ ଏନଏସି କର୍ତ୍ତୃପକ୍ଷ କାହିଁକି ଆଗ୍ରହ ଦେଖାଉନାହାନ୍ତି ତାହାର କାରଣ ସହରବାସୀ ଖୋଜି ପାଇପାରୁନାହାନ୍ତି। ରବିବାର ଅପରାହ୍ନରେ ଭଞ୍ଜନଗରରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ମାସ ମାସ ଧରି ସଫା ହୋଇ ନ ଥିବା ଡ଼୍ରେନର ମଇଳା ପାଣି, ପଲିଥିନ ରାସ୍ତାରେ ଭାସିଥିଲା। ଲୋକେ ଯାତାୟତରେ ବହୁତ ଅସୁବିଧା ଭୋଗିଥିଲେ। ୧ନଂ. ୱାର୍ଡ଼ର ପୂର୍ବତନ ଯୁବ ବିଜେଡ଼ି କାଉନସିଲର ଶିବରାମ ଜେନା ଏହି ସମସ୍ୟା ସମ୍ପର୍କରେ ଏନଏସି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ସମୟରେ ଅବଗତ କରିଛନ୍ତି। ତଥାପି ସଫେଇ ପ୍ରତି ଧ୍ୟାନ ଦିଆଯାଉନି। ଯାହାକୁ ନେଇ ଶାସକ ଦଳର କର୍ମୀ ଓ ନେତାମାନେ ବିଭିନ୍ନ ସମୟରେ ଲୋକଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେଉଛନ୍ତି । ସହରର ସମସ୍ତ ମୁଖ୍ୟ ଓ ଗଳି ରାସ୍ତାରେ କୁଢ଼ କୁଢ଼ ମଇଳା ଗଦା ହୋଇରହିଛି। ଆହାର କେନ୍ଦ୍ରର ମଇଳା ପାଣି ରାସ୍ତାରେ ଭାସୁଥିବା ଯୋଗୁ ଆହାର କେନ୍ଦ୍ରରୁ ଷ୍ଟେଟବ୍ୟାଙ୍କ ଛକ ପର୍ଯ୍ୟନ୍ତ ଏକ ଡ଼୍ରେନ ନିର୍ମାଣ ଯୋଜନା ହୋଇଥିଲା । ଉକ୍ତ କାମ କିଛିଦିନ ପୂର୍ବେ ଆରମ୍ଭ କରାଯାଇଛି। ମାତ୍ର କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନଏସି କର୍ତ୍ତୃୃପକ୍ଷ ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ସହରରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କେତେଜଣ କହୁଛନ୍ତି। ସେହିପରି ବିଜେଡ଼ିର ୨ ବରିଷ୍ଠ କର୍ମକର୍ତ୍ତା ତଥା ପୂର୍ବତନ କାଉନସିଲରଙ୍କ ମଧ୍ୟରେ ବିବାଦ ଯୋଗୁ ସହରରେ ଏପରି ଅବ୍ୟବସ୍ଥା ହୋଇଛି ବୋଲି ଆଉ କେତେଜଣ କହିଛନ୍ତି। ଅନ୍ୟପକ୍ଷରେ ଏନଏସିର ଜଣେ ଅଧିକାରୀ ଏଠାରେ କାର୍ଯ୍ୟ କରିବାକୁ ଅନିଚ୍ଛୁକ ଥିବାବେଳେ ତାଙ୍କୁ ଜବରଦସ୍ତ ରଖାଯାଇଛି । ତେଣୁ ସେ ସହରର ବିକାଶ ପ୍ରତି ଧ୍ୟାନ ଦେଉ ନ ଥିବା ମଧ୍ୟ ଆଲୋଚନା ଚାଲିଛି। ଏଭଳି ସ୍ଥିତିରେ ଆଉ ଜଣେ ନୂଆ ଅଧିକାରୀଙ୍କ ନିଯୁକ୍ତି ଆବଶ୍ୟକ ହୋଇପଡ଼ିଛି। ନଚେତ୍‌ ବର୍ଷା ଋତୁରେ ସହରରେ ସଫେଇ ନ ହୋଇ ମହାମାରି ଭଳି ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି ।