Categories: ରାଜ୍ୟ

ସହର ମଝିରେ ପଥର ଖଣି: ଦିନ ଦ୍ୱିପ୍ରହରରେ ହେଲା ବ୍ଲାଷ୍ଟିଂ

ନୟାଗଡ଼ ଅଫିସ,୯।୭-ନୟାଗଡ଼ ସହର ମଝିରେ ରହିଛି ପଥର ଖଣି। ଜଣେ ବ୍ୟକ୍ତିଙ୍କର ଏହା ଘରୋଇ ଖଣି ହୋଇଥିବା ବେଳେ ଉକ୍ତ ଖଣିରୁ ସୋମବାର ଦିନଦ୍ୱିପ୍ରହରରେ ବେଆଇନ ଭାବେ ବ୍ଲାଷ୍ଟିଂ ହୋଇଛି। ଏହାର ଶବ୍ଦ ଏତେ ଜୋର୍‌ ଥିଲା ଯେ କିଛି ସମୟ ପାଇଁ ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ। ବିଭିନ୍ନ ସମୟରେ ଖଣିରେ ବ୍ଲାଷ୍ଟିଂ ହେଉଥିବା ନେଇ ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ପାଲଟିଛି।
ଯେ, ନୟାଗଡ଼ ମ୍ୟୁନିସିପାଲିଟି ୧୧ ନମ୍ବର ୱାର୍ଡ଼ର ନ୍ୟୁ ରାଜବାଟିସାହିରେ ଏକ ପଥର ଖଣି ରହିଛି। ସୋମବାର ମଧ୍ୟାହ୍ନ ୧୨ଟା ୩୦ ସମୟରେ ଉକ୍ତ ଖଣିରେ ବେଆଇନ ଭାବେ ଡିନାମାଇଟ ଖଞ୍ଜାଯାଇ ବ୍ଲାଷ୍ଟିଂ କରାଯାଇଥିଲା। ଏହାର ପ୍ରଭାବରେ ଏକ ମଧ୍ୟମ ଧରଣର ପଥର ଉଡ଼ିଆସି ନିକଟରେ ଦୋକାନ କରିଥିବା କିଶୋର କୁମାର ସେଠୀଙ୍କ ବାରଣ୍ଡାରେ ପଡ଼ିଥିଲା। ଫଳରେ ଉକ୍ତ ସ୍ଥାନରୁ ସିମେଣ୍ଟ ପ୍ଲାଷ୍ଟର ନଷ୍ଟ ହୋଇଯାଇଛି। ସେହି ସମୟରେ ଦୋକାନକୁ ଯାଇଥିବା ଜଣେ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପଥରଟି ତାଙ୍କର ଅତି ପାଖରୁ ଯାଇ ତଳେ ପଡିଥିଲା। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଜନବସତି ଅଞ୍ଚଳରେ ପଥର ବ୍ଲାଷ୍ଟିଂ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।
ସହର ମଝିରେ ଏହି ପଥର ଖଣି ଥିବା ବେଳେ ସେଠାରେ ପଥରକୁ ହାତରେ ଶାବଳ କିମ୍ବା ମେଶିନ ସାହାଯ୍ୟରେ ଖୋଳିକି ନେଇପାରିବେ । ହେଲେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏହାକୁ ଅମାନ୍ୟ କରି ବିଭିନ୍ନ ସମୟରେ ବ୍ଲାଷ୍ଟିଂ କରୁଛନ୍ତି। ଏ ନେଇ ପୂର୍ବରୁ ଲୋକମାନେ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଅଭିଯୋଗକାରୀ ନିଜ ଭାଗ୍ୟକୁ ନିନ୍ଦି ରହୁଛନ୍ତି । ଏହିଭଳି ପଥର ବ୍ଲାଷ୍ଟିଂ ନେଇ ବିପଦ ଆଶଙ୍କା ଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରଶାସନର ନାକ ତଳେ ଥିବା ଏହି ସ୍ଥାନରେ ବିଭିନ୍ନ ସମୟରେ ବେଆଇନ ଭାବେ ବ୍ଲାଷ୍ଟିଂ ହେଉଥିବା ବେଳେ ପ୍ରଶାସନ କିପରି ଏ ବିଷୟରେ ଜାଣିପାରୁନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ନୟାଗଡ଼ ତହସିଲଦାର ମନୋରଞ୍ଜନ ସାହୁଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ କରି ନ ଥିଲେ। ନୟାଗଡ଼ ଆରଆଇ ମନୋଜ ନାୟକଙ୍କୁ ପଚାରିବାରୁ ସେ କୁହନ୍ତି ଏହା ଜଣେ ବ୍ୟକ୍ତିଙ୍କର । ସେଠାରେ ବ୍ଲାଷ୍ଟିଂ କରିବା ପାଇଁ ଅନୁମତି ନାହିଁ। ବ୍ଲାଷ୍ଟିଂ ନ କରିବା ପାଇଁ ପୂର୍ବରୁ ଅଣ୍ଡରଟେକିଂ ଲେଖିକି ଯାଇଛନ୍ତି। ଯଦି ଏହିଭଳି ହୋଇଥିବ ତାହା ହେଲେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବୁ ବୋଲି ସେ ପ୍ରକାଶ କରିଥିଲେ।