ସହର ଭିତରେ ଭାରୀଯାନ ଚଳାଚଳ ନିଷେଧ: କଟକଣା ଜାରି କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୧।୧୦-ଦୁର୍ଘଟଣା ହ୍ରାସ ଏବଂ ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବାଲେଶ୍ୱର ସହରର କେତେକ ବ୍ୟସ୍ତବହୁଳ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ମୋଟର ଯାନ ଅଧିନିୟମ ୧୯୮୮ର ଧାରା ୧୧୫ ଏବଂ ଓଡ଼ିଶା ମୋଟର ଯାନ ନିୟମ ୯୩ ଅନୁଯାୟୀ କ୍ଷମତା ପ୍ରୟୋଗ କରି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହି କଟକଣା ଜାରି କରିଛନ୍ତି। ପୂର୍ବାହ୍ନ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହରର କିଛି ପ୍ରମୁଖ ରାସ୍ତାରେ କୌଣସି ପ୍ରକାର ମାଲ ବୋଝେଇ ଚାରିଚକିଆ ବା ତଦୂର୍ଦ୍ଧ୍ୱ ଭାରୀଯାନ ଚଳାଚଳ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏକ ପ୍ରେସ୍‌ ବିବୃତିିରେ ସୂଚନା ଦିଆଯାଇଛି।
ସହରର ଆଇଟିଆଇ ଛକଠାରୁ ସୁରଜ ହୋଟେଲ ଛକ ଭାୟା ବସ୍‌ଷ୍ଟାଣ୍ଡ-ଫକୀରମୋହନ ଗୋଲେଇ, ପୋଲିସ ଲାଇନ୍‌ ଛକଠାରୁ ହେମକାପଦା ଛକ ଭାୟା ଫକୀରମୋହନ କଲେଜ, ଫକୀରମୋହନ ଗୋଲେଇରୁ ଟାଉନ ଥାନା ଭାୟା ଫାଣ୍ଡି ଛକ, ଚିଡ଼ିଆପୋଲ, ଜିଲା ମୁଖ୍ୟ ଚିକିତ୍ସାଳୟ, ସିନେମା ଛକ ଓ ମୋତିଗଞ୍ଜ ବଜାର, ଷ୍ଟେଶନ ଛକରୁ ପାଣିଟାଙ୍କି ଛକ ଭାୟା ଏଡ଼ିଏମ ଛକ-ଜିଲା ସ୍କୁଲ, ମିର୍ଜାପୋଖରୀରୁ ଛୁଆଳିଆ ମହାଦେବ ଛକ ଭାୟା ମାଣିଖମ୍ବ-ବାରବାଟୀ, ମିର୍ଜାପୋଖରୀରୁ ବାବିଲୋନ ଛକ ଭାୟା ଟାଉନହଲ-ସିନେମା ଛକ, ଟେକ୍ନିକାଲ ସ୍କୁଲ ଛକଠାରୁ ନାରୀସଂଘ ଭାୟା ଏଡିଏମ ଛକ-ରାଜାବଗିଚା, ଷ୍ଟେଶନ ଛକଠାରୁ ପଢୁଆଁପଦା ଛକ ଭାୟା ନାରୀସଂଘ ରୁଟ୍‌ରେ ଏହି କଟକଣା ଏକ ମାସ (୧ ଅକ୍ଟୋବର ୨୦୧୯ରୁ ୩୦ ଅକ୍ଟୋବର ୨୦୧୯) ପର୍ଯ୍ୟନ୍ତ ବଳବତ୍ତର ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତା ଅନୁଯାୟୀ ଏହି କଟକଣାକୁ ବୃଦ୍ଧି କରାଯାଇପାରେ ବୋଲି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ଜାରି କରାଯାଇଥିବା କଟକଣାକୁ ସମସ୍ତେ ମାନିବା ସହିତ ଟ୍ରାଫିକ ନିୟନ୍ତ୍ରଣରେ ସହଯୋଗ କରିବା ପାଇଁ ଜିଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।