ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୌଣସି ସ୍ଥାନରେ ନାହିଁ ଡଷ୍ଟବିନ୍‌

ନୟାଗଡ଼ ଅଫିସ,୨୦ା୧୨: ନୟାଗଡ଼ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ସହରର ବିଭିନ୍ନ ସ୍ଥାନରେ ପୂର୍ବରୁ ଡଷ୍ଟବିନ୍‌ ଥିବାବେଳେ ବର୍ତ୍ତମାନ ଏହାକୁ କାଢ଼ିନିଆଯାଇଛି। ଏ ନେଇ ପୌରପାଳିକା ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଗଦା ହୋଇରହିଛି। ସହରର ୧୭ନଂ. ୱାର୍ଡ଼ ଗଳିକନ୍ଦିରେ ମଧ୍ୟ ସମାନ ଅବସ୍ଥା। ପୂର୍ବରୁ ବିଭିନ୍ନ ୱାର୍ଡ଼ରେ ଡଷ୍ଟବିନ୍‌ ରଖାଯାଇଥିବା ବେଳେ ବର୍ତ୍ତମାନ ଏହା ନ ଥିବାରୁ ଲୋକମାନେ ରାସ୍ତାରେ ଅଳିଆ ପକାଉଛନ୍ତି। ଅନ୍ୟପଟେ ଲକ୍ଷାଧିକ ଟଙ୍କାରେ କିଣା ହୋଇଥିବା ଡଷ୍ଟବିନ୍‌ କାହା ସ୍ବାର୍ଥରେ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। କିନ୍ତୁ ଚୋରିହୋଇ ଯାଉଥିବାରୁ ଏହାକୁ ନେଇ କାର୍ଯ୍ୟାଳୟରେ ରଖାଯାଇଥିବା ପୌରପାଳିକା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଫେବୃୟାରୀ ୨୦୧୮ରେ ପୌରପାଳିକା ପକ୍ଷରୁ ବୈଠକ କରାଯାଇ ସହରକୁ ସ୍ବଚ୍ଛ ରଖିବା ପାଇଁ ପ୍ରତି ୱାର୍ଡ଼ରେ ନୀଳ ଓ ସବୁଜ ରଙ୍ଗର ଡଷ୍ଟବିନ୍‌ ରଖିବା ପାଇଁ ଯୋଜନା ହୋଇଥିଲା। ସେହଭିଳି ସହରକୁ ଅଳିଆମୁକ୍ତ କରିବା ପାଇଁ ବିଭିନ୍ନ ଦୋକାନ ଆଗରେ ମଧ୍ୟ ଦୁଇଟି ଡଷ୍ଟବିନ୍‌ ରଖାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ପରେ ଟେଣ୍ଡର କରାଯାଇ ଡଷ୍ଟବିନ୍‌ କିଣାଯାଇଥିଲା। ହେଲେ କିଛିମାସ ପରେ ବିଭିନ୍ନ ସ୍ଥାନରେ ଥିବା ଡଷ୍ଟବିନ୍‌ ଉଠାଇ ନିଆଯାଇଥିଲା। ଫଳରେ ପୂର୍ବଭଳି ବର୍ତ୍ତମାନ ଅଳିଆ ଗଦାହୋଇ ରହୁଛି। କେତେକ ସ୍ଥାନରେ କର୍ମଚାରୀମାନେ ସକାଳେ ଯାଇ ଅଳିଆ ଉଠାଉଥିବା ବେଳେ ଆଉ କିଛି ସ୍ଥାନରେ ମଧ୍ୟାହ୍ନ ୧୨ଟା ଯାଏ ଗଦା ହୋଇ ରହୁଛି। ଫଳରେ ଉକ୍ତ ସ୍ଥାନ ଦେଇ ଯାତାୟାତ କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ନୟାଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ କୌଣସି ମତ ଦେଇ ନ ଥିଲେ। ପୌରପାଳିକାର ପରିମଳ ନିରୀକ୍ଷକ ଲକ୍ଷ୍ମୀଧର ସାହୁ କହନ୍ତି, ଡ୍ୟାମେଜ ହୋଇଯାଇଥିବା ଡଷ୍ଟବିନ୍‌କୁ କଢ଼ାଯାଇଛି। କାର୍ଯ୍ୟାଳୟରେ କିଛି ଭଲ ଡଷ୍ଟବିନ୍‌ ଥିବା ବେଳେ ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଆସିଛି। ଆମାଗୀ କିଛିଦିନ ମଧ୍ୟରେ ଡୋର ଟୁ ଡୋର ଅଳିଆ ସଂଗ୍ରହ କରାଯିବ ବୋଲି ସେ ପ୍ରକାଶ କରିଥିଲେ।