ସହରରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ

ଅନୁଗୋଳ ସହର, ୩।୨: ଅନୁଗୋଳ ସହର ହୁଲୁରିସିଂହାଠାରେ ବେଆଇନ ଭାବେ ଏକ ଆପାର୍ଟମେଣ୍ଟ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଜିଲାପାଳ, ତାଳଚେର-ଅନୁଗୋଳ-ମେରାମଣ୍ଡଳି ଡେଭଲପମେଣ୍ଟ ଅଥରିଟି(ତାମଡା) ସେକ୍ରେଟାରି ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟାରି ଅଥରିଟିଙ୍କ ନିକଟରେ ଏ ନେଇ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇବା ପରେ ତାମଡା ପକ୍ଷରୁ ଆପାର୍ଟମେଣ୍ଟର ଡାଇରେକ୍ଟରଙ୍କ ନିକଟକୁ ଚିଠି କରି କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦିଆଯିବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।
ସମ୍ପୃକ୍ତ ଆପାର୍ଟମେଣ୍ଟରେ ରହୁଥିବା ସଞ୍ଜୁକ୍ତା ସ୍ବାଇଁ ଏବଂ ପୁଅ ଅର୍ପିତ ଅନୁପମ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ୨୦୧୫ ଜୁନ ୧ ସୁଦ୍ଧା ଆପାର୍ଟମେଣ୍ଟର ୩ଟି ବ୍ଲକ କାର୍ଯ୍ୟ ସାରିବା ପାଇଁ ତାମଡା ପକ୍ଷରୁ ଅନୁମତି ଦିଆଯାଇଥିଲା। କିନ୍ତୁ ସେହି ସମୟରେ ୨ଟି ବ୍ଲକ କାର୍ଯ୍ୟ କରି ଲୋକମାନଙ୍କୁ ଫ୍ଲାଟ ବିକ୍ରି କରିଦିଆଯାଇଥିଲା। ଏବେ ଅନୁମତି ନ ଥାଇ ବେଆଇନ ଭାବେ ସେହି ଆପାର୍ଟମେଣ୍ଟରେ ବହୁତଳପ୍ରାସାଦ ନିର୍ମାଣ କରାଯାଉଛି। ସେଠାରେ ଘରକୁ ବାସୋପଯୋଗୀ ବା ଅକ୍ୟୁପେନ୍ସି ସାର୍ଟିଫିକେଟ୍‌ ତାମଡ଼ା ପକ୍ଷରୁ ମିଳିବା ଆବଶ୍ୟକ। ତାହା ନ ଥିବାବେଳେ ବ୍ଲକରେ ସମ୍ପୂର୍ଣ୍ଣ ଫାୟାର ସେଫ୍ଟିର ବ୍ୟବସ୍ଥା ମଧ୍ୟ ନାହିଁ। ଏବେ ସମ୍ପୂର୍ଣ୍ଣ ବେଆଇନ ଭାବେ ସେଠାରେ ୪ ମହଲା ବିଶିଷ୍ଟ ଘର ନିର୍ମାଣ କରାଯାଉଛି। ଗତ ଡିସେମ୍ବର ୧୨ରେ ବିଧିବଦ୍ଧ ଭାବେ ଅଭିଯୋଗ ହେବା ପରେ ଡିସେମ୍ବର ୨୭ରେ ନିର୍ମାଣ କାର୍ଯ୍ୟ ୧୦ ଦିନ ମଧ୍ୟରେ ବନ୍ଦ କରିବା ପାଇଁ ତାମଡା ପକ୍ଷରୁ ସମ୍ପୃକ୍ତ କନଷ୍ଟ୍ରକଶନ କମ୍ପାନୀକୁ ଚିଠି (ନଂ.୩୨୯୫) କରାଯାଇଥିଲା। ଏହା ସତ୍ତ୍ୱେ ଉକ୍ତ କମ୍ପାନୀ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇ ନ ଥିଲା। ଏ ନେଇ ଅଭିଯୋଗକାରୀ ଡିସେମ୍ବର ୩୦ରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ୩ ଦିନ ମଧ୍ୟରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ତାମଡାକୁ ଜିଲା ପ୍ରଶାସନ ଚିଠି କରିଥିଲେ। ଜିଲାପାଳଙ୍କ ଚିଠି ପାଇବା ପରେ ଜାନୁୟାରୀ ୨୦ରେ ଚିଠି ନଂ.୭୬ରେ ସମ୍ପୃକ୍ତ କନଷ୍ଟ୍ରକଶନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।
ଏ ସମ୍ପର୍କରେ ତାମଡାର ସେକ୍ରେଟାରୀ ବଇତୁରା ଦୀପ୍‌ଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ସଞ୍ଜୁକ୍ତା ଓ ଅର୍ପିତ ଅନୁପମଙ୍କ ଅଭିଯୋଗକ୍ରମେ ସମ୍ପୃକ୍ତ ଆପାର୍ଟମେଣ୍ଟର ଡାଇରେକ୍ଟରଙ୍କୁ କାର୍ଯ୍ୟ ବନ୍ଦ ପାଇଁ ଚିଠି କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ଏ ବିଷୟରେ ଆପାର୍ଟମେଣ୍ଟ ନିର୍ଦ୍ଦେଶକ ଆନନ୍ଦ କୁମାର ଅଗ୍ରଓ୍ବାଲଙ୍କୁ ପଚାରିବାରେ କୁହନ୍ତି, କୌଣସି ବେଆଇନ କାମ ହୋଇନି। ମୋ ପାଖରେ ଅନୁମତିପତ୍ର ଅଛି। ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି।