ସହରରେ ବାଇକ୍‌ ପାଟ୍ରୋଲିଂ ଆରମ୍ଭ

ପୁରୀ ଅଫିସ,୧୧ା୪: କରୋନା ପାଇଁ ପୁରୀରେ ଆରମ୍ଭ ହୋଇଛି ବାଇକ୍‌ ପାଟ୍ରୋଲିଂ। କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ପୁରୀ ସହରର ବିଭିନ୍ନ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀ, ଗ୍ରାହକ ଏବଂ ଜନସାଧାରଣ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ବିଭିନ୍ନ ଗଳିକନ୍ଦିରେ ବି ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ କରାଯାଉଛି। ସବୁ ଜାଗାକୁ ପୋଲିସ ପାଟ୍ରୋଲିଂ ଗାଡ଼ି ଯାଇପାରୁ ନାହିଁ। ତେଣୁ ପୁରୀ ପୋଲିସ ପକ୍ଷରୁ ଶୁକ୍ରବାର ବାଇକ୍‌ ପାଟ୍ରୋଲିଂ ଆରମ୍ଭ ହୋଇଛି। ୪ଟି ବାଇକ୍‌କୁ ଏଥିରେ ନିୟୋଜିତ କରାଯାଇଛି। ଏସମ୍ପର୍କରେ ଟ୍ରାଫିକ୍‌ ଆଇଆଇସି ଗୋକୁଳ ରଞ୍ଜନ ଦାଶ କହିଛନ୍ତି, ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ବାଇକ୍‌ ପାଟ୍ରୋଲିଂ ଚାଲିବ। ୪ଟି ବାଇକ୍‌ରେ ୮ଜଣ ପୋଲିସ ସହରର ବିଭିନ୍ନ ସ୍ଥାନକୁ ପାଟ୍ରୋଲିଂରେ ଯିବେ। ଗୋଟିଏ ବାଇକ୍‌ ମେଡିକାଲ ଛକରୁ ମଙ୍ଗଳାଘାଟ ଯିବ। ଦ୍ୱିତୀୟଟି ବାଇକ୍‌ ପେଣ୍ଠକଟାରୁ ସୁବାଷ ବୋଷ ଛକ, ସିବିଚ୍‌ ଥାନା, ଦିଗବାରିଣୀ ଛକ ଦେଇ ବଳିଆପଣ୍ଡା ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ତୃତୀୟ ବାଇକ୍‌ ମେଡିକାଲ ଛକରୁ ବାହାରି ଅଠରନଳା, ଚାରିନଳା, ବାଟଗଁା ମଧ୍ୟରେ ଚଳାଚଳ କରିବ। ଚତୁର୍ଥ ବାଇକ୍‌ ଟାଉନ ହଲ୍‌ ଛକରୁ ବାହାରି ଦୋଳମଣ୍ଡପ, ଗାଣ୍ଡୁଆଚଉରା ଛକ, ଲୋକନାଥ ରୋଡ ଦେଇ ଓଁକାରେଶ୍ୱର ପର୍ଯ୍ୟନ୍ତ ଯିବ। ଗୋଟିଏ ବାଇକ୍‌ରେ ଦୁଇଜଣ ପୋଲିସ କର୍ମଚାରୀ ରହିବେ। କଣ୍ଟ୍ରୋଲ ରୁମ୍‌ଠାରୁ ସୂଚନା ପାଇ ବିଭିନ୍ନ ଗଳିକନ୍ଦିକୁ ମଧ୍ୟ ଯିବେ। ବିଶେଷକରି ଯେଉଁସବୁ ଜାଗାକୁ ଚାରିଚକିଆ ପାଟ୍ରୋଲିଂ ଗାଡ଼ି ଯାଇପାରୁନି ସେହି ଅଞ୍ଚଳ ଉପରେ ଅଧିକ ଫୋକସ ରହିବ। କୌଣସି ଜାଗାରେ ଯେପରି ଲକ୍‌ଡାଉନ ନିୟମ ଉଲ୍ଲଂଘନ ନ ହେବ ଏବଂ ଲୋକମାନେ ସାମାଜିକ ଦୂରତା ରକ୍ଷା କରିବେ ତାକୁ ଦୃଷ୍ଟିରେ ରଖି ଏହି ବାଇକ୍‌ ପାଟ୍ରୋଲିଂ ଆରମ୍ଭ କରାଯାଇଛି ବୋଲି ଟ୍ରାଫିକ ଆଇଆଇସି ଦାଶ ସୂଚନା ଦେଇଛନ୍ତି।