ସର୍ବସାଧାରଣଙ୍କ ପାଇଁ ୫ରୁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଆସନ୍ତା ୫ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ଖୋଲିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅନୁମତି କ୍ରମେ ଜାନୁୟାରୀ ୫ରୁ ୨୦ ତାରିଖ ପର୍ଯ୍ୟନ୍ତ ରବିବାର ଓ ଛୁଟିଦିନରେ ମଧ୍ୟ ଉଦ୍ୟାନ ଖୋଲା ରହିବ। ପ୍ରତ୍ୟହ ଅପରାହ୍ନ ୨ଟା ୩୦ଟାରୁ ୫ଟା ମଧ୍ୟରେ ସର୍ବସାଧାରଣ ରାଜଭବନ ଉଦ୍ୟାନ ବୁଲିପାରିବେ। ତେବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରୀଛାତ୍ରମାନେ ୬ରୁ ୨୧ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟହ ସକାଳ ୮ଟା ୩୦ ରୁ ୧୦ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ। ଏଥିନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ଅନୁରୋଧପତ୍ର ପ୍ରେରଣ କରିବାକୁ କୁହାଯାଇଛି। ରାଜଭବନର ସବୁଜ ଲନ୍‌, ହରିଣ ଉଦ୍ୟାନ, ସଙ୍ଗୀତମୟ ଝରଣା, ଖୋଲା ଆକ୍ୱାରିୟମ୍‌ ଏବଂ ପକ୍ଷୀ ଏନ୍‌କ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର। ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ମଧ୍ୟରେ ରାଜଭବନକୁ ଭିଡ଼ ମୁକ୍ତ ହୋଇ ସହଜରେ ପ୍ରବେଶ କରିବା ଲାଗି ‘ରାଜଭବନ ଓଡ଼ିଶା’ ନାମରେ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ରାଜଭବନ ପକ୍ଷରୁ ପ୍ରସ୍ତୁତ ଏହି ଆପ୍‌ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ଆଣ୍ଡ୍ରଏଡ ଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ। ଏହି ମୋବାଇଲ୍‌ ଆପ୍‌ ଦ୍ୱାରା ସେମାନେ କ୍ୟୁଆର୍‌ କୋଡ୍‌ ପ୍ରବେଶପତ୍ର ସ୍ମାର୍ଟଫୋନ୍‌ରେ ପ୍ରସ୍ତୁତ କରିପାରିବେ, ଯାହା ରାଜଭବନ ମୁଖ୍ୟ ଫାଟକରେ ସ୍କାନିଂ ଦ୍ୱାରା ଭିଡ଼ ମୁକ୍ତ ପ୍ରବେଶ ହୋଇପାରିବ। ତଥାପି ରାଜଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ରେଜିଷ୍ଟର ମାଧ୍ୟମରେ ହାତ ପ୍ରସ୍ତୁତ ପ୍ରବେଶପତ୍ର ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ରହିବ। ରାଜଭବନ ମଧ୍ୟକୁ ଟିଫିନ୍‌ ବକ୍ସ, ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଏବଂ କ୍ୟାମେରା ନ ଆଣିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ରାଜଭବନ ଉଦ୍ୟାନକୁ ପରିଷ୍କାର ରଖିବା ସହିତ ଦାୟିତ୍ୱରତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦାୟିତ୍ୱ ନିର୍ବାହରେ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।