ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଲେ ପ୍ରତାପ ଜେନା

ଭୁବନେଶ୍ୱର, ୯।୧୧(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଚଳିତ ବର୍ଷର ଫେମ୍‌ ଇଣ୍ଡିଆ ପକ୍ଷରୁ ଶନିବାର ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇଛନ୍ତି। ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଫେମ ଇଣ୍ଡିଆ ପକ୍ଷରୁ ମନ୍ତ୍ରୀମାନଙ୍କ ବିଭିନ୍ନ କାର୍ଯ୍ୟର ଆକଳନ ସହ ସରକାରୀ ଯୋଜନାଗୁଡିକୁ ଠିକଣା ବାଟରେ ନେବା, ଦାୟିତ୍ୱସମ୍ପନ୍ନ ହୋଇ କାର୍ଯ୍ୟ କରିବା ଓ ସର୍ବୋପରି ଦୁର୍ନୀତିଠାରୁ ଦୂରେଇ ରହିବା ଆଦି ଦିଗକୁ ଆକଳନ କରାଯିବା ପରେ ଏହି ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ।
ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀଭାବେ ଜେନା ଦାୟିତ୍ୱ ନିର୍ବାହ କରୁଛନ୍ତି। ଜେନା ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ପଞ୍ଚମଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ବିଜୁ କୃଷକ ଜନତା ଦଳର ସାଧାରଣ ସମ୍ପାଦକ ଅଛନ୍ତି। ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଜେନା ରାଜ୍ୟ ସରକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇ ଥିବାବେଳେ ବିଜେଡିର ଚତୁର୍ଥ ପାଳି ସରକାରରେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ୍‌, ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଛନ୍ତି।